ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଜିଲ୍ଲା ମୁଖ୍ୟାଳୟରେ ଥିବା ମନୋହରପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଓଡିଶା ସରକାର ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କ ପାଇଁ ଉଦ୍‌ବୋଧନ ଦେଇଥିଲେ । ତାଙ୍କ ଭାଷଣରେ ସେ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କପୁରଚନ ନାୟକ, ସୁରେନ୍ଦ୍ର ଠାକୁର, କୁଞ୍ଜ ବିହାରୀ ମେହେର, କପିଳେଶ୍ଵର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର, ଦିବାକର ବହିଦାର, ନରସିଂହ ପ୍ରସାଦ ନନ୍ଦ, ସ୍ଵପ୍ନାନନ୍ଦ ପାଣିଗ୍ରାହୀ, ଯୁଧିଷ୍ଟିର ମିଶ୍ର, ଯୋଗେଶ୍ଵର କୁମୁର, ଧ୍ରୁବ ନାଥ, ପୁରୁଷୋତ୍ତମ ନାଥ, ଚିନ୍ତାମଣି ମିଶ୍ର, ରିଷି ଗଡତ୍ୟା, ଭାର୍ଗବୀ ଗୁରୁ, ଦଶରଥ ସାହୁ, ଯୁଗଳ କିଶୋର ନାଥ, ଆଠଗାଁ ଜମିଦାର ଧରମ ସିଂ ମାନ୍ଧାତା ଭଳି ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଆଜି ସ୍ମରଣ କରିବାର ଦିନ । ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ବଲାଙ୍ଗିରର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବହୁବିଧି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଜଳସେଚନ ନିମନ୍ତେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ୍ଵ କରାଯାଇ ଡ୍ୟାମ ଓ ସ୍ପିଲୱେ ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସହ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଉଛି । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବଲାଙ୍ଗିରଠାରେ ଅତ୍ୟାଧୁନିକ ବସ ଟର୍ମିନାଲ ପ୍ରତିଷ୍ଠା କରାଯାଇ ଉନ୍ନତ ମାନର ସୁବିଧା ଯୋଗାଇ ଦିଆଯାଇଛି ।

ମାନରେଗା ଯୋଜନାରେ ଜିଲ୍ଲାରେ ୧୪ ଗୋଟି ବ୍ଲକର ୪୦୯୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ମିସନ ଶକ୍ତି ଜରିଆରେ ଜିଲ୍ଲାରେ ୨୫ ହଜାରରୁ ଅଧିକ ସ୍ଵୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ସ୍ଵାବଲମ୍ବୀ କରିବା ଲକ୍ଷରେ ସହାୟତା ପ୍ରଦାନ କରାଯାଉଛି । ସ୍ଵୟ ସହାୟକ ଗୋଷ୍ଠୀମାନେ ଧାନ ସଂଗ୍ରହ, ମାଛ ଚାଷ, ମଧ୍ୟାହ୍ନ ଭୋଜନ, ବିଦ୍ୟୁତ ବିଲ ସଂଗ୍ରହ, ପ୍ରାକ ବିଦ୍ୟାଳୟ ପରିଚାଳନା, ଆହାର କେନ୍ଦ୍ର ପରିଚାଳନା, ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥନିବାସ ଓ କାଫେ ପରିଚାଳନା, ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ପାଇଁ ଆଶ୍ରୟ ସ୍ଥଳ ତଥା ରୋଗୀମାନଙ୍କୁ ଖାଦ୍ୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ହରିଶଙ୍କର ଉନ୍ନତି ପାଇଁ ୫୫ କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି । ଏବେ ଏହି ମନ୍ଦିର ଉନ୍ନତିକରଣ ଦ୍ଵିତୀୟ ପର୍ଯ୍ୟାୟରେ ଅଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୧୪୮୬.୨କୋଟି ଟଙ୍କାରେ ପ୍ରକଳ୍ପ କାମ ଆଗେଇ ଚାଲିଛି । ତେବେ ଦେଶ ମାତୃକାର ସେବା କରିବାର ସୁଯୋଗ ମିଳିଥିବାରୁ ଆମେ ନିଜକୁ ଧନ୍ୟ ମଣିବା ସହ ସଂସ୍କୃତି, ପରମ୍ପରା ତଥା ଐତିହ୍ୟକୁ ସର୍ବଦା ସମ୍ମାନ କରିବାକୁ ଚେଷ୍ଟିତ ରହିବା ବୋଲି ଉଦ୍‌ବୋଧନ ଦେଲେ । ଏହାପରେ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କଲେ । ପରେ ମେଡିକାଲ ଯାଇ ବିଭିନ୍ନ ୱାର୍ଡ ବୁଲି ଫଳ ଏବଂ ମିଠା ବାଣ୍ଟି ରେଡକ୍ରସର ରକ୍ତଦାନ ଶିବିର ଉଦ୍‌ଘାଟନ କରି ରକ୍ତଦାନ ପରି ମହତ ଦାନରେ ନିଜକୁ ସାମିଲ କରିଥିବାରୁ ଉପସ୍ଥିତ ରକ୍ତଦାତା ମାନଙ୍କୁ ଅଭିନନ୍ଦନ ଜଣାଇଲେ । ପରେ ଜେଲରେ ଅନ୍ତେବାସୀଙ୍କୁ ମିଠା, ପୁଇଁତଳାରେ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରି ସମାରୋହ ଶେଷ କରିଥିଲେ । ଶେଷରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଖେଳ ପ୍ରଶାସକ ଏକାଦଶ ଏବଂ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ମୁଖ୍ୟ ଅତିଥିଙ୍କ ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.