jayashree

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରର ପୁନଃଉଦ୍ଧାର ଦାବୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କାହିିଁ କେଉଁ କାଳରୁ ପାଟଣାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମେତ ସୌଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆନଯାଉଥିବାରୁ ଆଜି ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି । ବଲାଙ୍ଗିରରେ ରହିଥିବା ମା’ଙ୍କ ମନ୍ଦିରର ଅବସ୍ଥା ଅସୁରକ୍ଷିତ ଥିବାରୁ ଭକ୍ତମାନଙ୍କ ଭିତରେ ଉଦ୍‌ବେଗ ପ୍ରକାଶ ପାଇଛି । ଦୀର୍ଘ ବର୍ଷରୁ ଜନସାଧାରଣ ମନ୍ଦିରର ସୁରକ୍ଷା ପାଇଁ ଦାବୀ କରି ଆସୁଥିବା ବେଳେ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ବର୍ଷା ଦିନେ ମନ୍ଦିର ଭିତରକୁ ବର୍ଷା ପାଣି ପଶିବା ସହ ରାସ୍ତାର ଅଳିଆ ଆବର୍ଜନା ଦୂଷିତ ପାଣି ମା’ଙ୍କ ଗମ୍ଭୀରା ଭିତରକୁ ପ୍ରବେଶ କରୁଛି । ଭକ୍ତମାନେ ମା’ଙ୍କ ଦର୍ଶନରୁ ବଂଚିତ ହେଉଛନ୍ତି । ପାଟଣା ଶାସନର ଇଷ୍ଟଦେବୀଙ୍କ ଏହି ମନ୍ଦିର ଦଳଗଞ୍ଜନ ସିଂହଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏବେ ଏହି ଐତିହ୍ୟ ସଂପନ୍ନ ମନ୍ଦିର ରକ୍ଷଣା ବେକ୍ଷଣ ଅଭାବରୁ ଛାତ ଫାଟି ପାଣି ଝରୁଛି । ବର୍ଷା ଦିନରେ ରାସ୍ତାରେ ବହୁଥିବା ପାଣି ପଶି ଯାଉଥିବାରୁ ପାଟଣାର ଇଷ୍ଟଦେବୀ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ ବଲାଙ୍ଗିର ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.