jayashree

ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ

  • କେନ୍ଦ୍ର ସରକାରଙ୍କ ଅନୁଦାନ ଟଙ୍କାରେ ହେଲା କାମ ଆରମ୍ଭ
  • ହୋଡିଂରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଫୋଟୋ ନ ଥିବାରୁ ବିଜେପି ପକ୍ଷରୁ ବିରୋଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସିଆର୍‌ଆଇଏଫ୍‌ ଫଣ୍ଡରୁ ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଯାଇଛି । ଗତ ୫ ଏପ୍ରିଲ ୨୦୨୨ରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ସାଂସଦଙ୍କ ପ୍ରସ୍ତାବ ଏବଂ ଅନୁରୋଧ କ୍ରମେ ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ପାଇଁ କେନ୍ଦ୍ର ସରକାରଙ୍କ ରାସ୍ତା ପ୍ରଶସ୍ତିକରଣ (ସିଆର୍‌ଆଇଏଫ୍‌) ଫଣ୍ଡରୁ ଅର୍ଥ ମଞ୍ଜୁର କରାଯାଇଛି । ରାଜ୍ୟ ସରକାରଙ୍କ (ପିଡବ୍ଲୁଡି) ଗ୍ରାମ୍ୟ ପୂର୍ତ୍ତ ବିଭାଗ ଏଥିପାଇଁ ହୋର୍ଡିଂଗୁଡ଼ିକ ଲଗାଉଛି, କିନ୍ତୁ ଦୁଃଖର ବିଷୟ ଏ କାମ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅର୍ଥ ମଞ୍ଜୁର କରାଯାଇଥିବା ସତ୍ତ୍ବେ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଅଛି, ନା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ଫଟୋ ଅଛି, ନା ଯାହାଙ୍କର ପ୍ରସ୍ତାବ ଏବଂ ଉଦ୍ୟମ କ୍ରମେ ଏ କାମ ହେଉଛି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଫଟୋ ଅଛି । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଅଛି । ରାଜ୍ୟ ସରକାରଙ୍କ ଏପରି ଅନୈତିକ କାର୍ଯ୍ୟକଳାପ ଓ ବ୍ୟବହାରକୁ ପଦ୍ମପୁର ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରତିବାଦ କରିବା ସହ ଦୃଢ଼ ଭାବରେ ନିନ୍ଦା କରିଛି । ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ରାଜ୍ୟ ସରକାର ପଦ୍ମପୁର ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖିବା ତଥା ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି । ସବୁ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ନିଜ ଯୋଜନା କହି ରାଜ୍ୟ ସରକାର ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି, ପଦ୍ମପୁର ଭାରତୀୟ ଜନତା ପାର୍ଟି ପ୍ରତିବାଦ ସ୍ୱରୂପ ପୂର୍ତ୍ତବିଭାଗ ଅଧିକାରୀଙ୍କୁ ନଗର ସଭାପତି ସୁନିଲ୍ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଦାବୀପତ୍ର ପ୍ରଦାନ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ନିତିନ୍ ଗଡ଼କରୀ ଏବଂ ସାଂସଦ ସୁରେଶ ପୂଜାରୀଙ୍କ ଫଟୋ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ନୂତନ ହୋର୍ଡିଂ ଲଗାଇବାକୁ ଦାବୀ କରିଛି, ନଚେତ୍ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏପରି ଅନୈତିକ କାର୍ଯ୍ୟକଳାପ ବିରୁଦ୍ଧରେ ପଦ୍ମପୁର ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।

Leave A Reply

Your email address will not be published.