ହୃଷିକେଶ ରାୟ ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ ସହଯୋଗ ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ କଲେଜର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଆଡ଼ଭୋକେଟ ଗାରିମା ପତ୍ରୀ ଢୋଲକିଆ ଓ ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜର ଏନ.ଏସ.ଏସ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଯୁବ ବର୍ଗ ଓ ଛାତ୍ରଛାତ୍ରୀମାନେ ଗାଡି ଚାଳନା ସମୟରେ ନିଶା ସେବନ ନକରିବା ଓ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ସମ୍ପର୍କିତ ଲାଇସେନ୍ସ ହାସଲ କରିବା ନେଇ ଗୁରୁତ୍ୱ ଦେଇଥିଲେ । ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜରୁରୀ ବୋଲି କହିଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ନେଇ ସମସ୍ତେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସର୍ବଶ୍ରୀ ଅଜୟ ସୁନ୍ଦରରାୟ, ଜ୍ୟୋତିଷ କୁମାର ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.