ଚେଇଁ ଶୋଇଛି ଲୋଇସିଂହା ବିଜୁଳି ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ଲୋଇସିଂହା ବିଦ୍ୟୁତ ସେକ୍ସନ ବହୁବିଧ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ସ୍ଥାନୀୟ ସେକ୍ସନ ଅଫିସକୁ ବିଭାଗୀୟ ଯନ୍ତ୍ରୀ ଦିନ ୧୨ଟା ପୂର୍ବରୁ କେବେ ଆସୁନଥିବା ଅଭିଯୋଗ ହେଉଛି । ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ବିନା ଏଷ୍ଟିମେଟରେ ଏଲଟି ଲାଇନକୁ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହୁଏ । ନିକଟସ୍ଥ ଭାଲିଆମୁଣ୍ଡା ଠାରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସକୁ ବେଆଇନ ଭାବେ ବିନା ଏଷ୍ଟିମେଟରେ ବିଜୁଳି ସଂଯୋଗ ଦିଆଯାଇଛି । କେବଳ ସେତିକି ନୁହେଁ, ଏଥିପାଇଁ ନୂତନ ମିଟର ଲଗାଯିବା ପ୍ରାବଧାନ ରହିଥିବା ବେଳେ ପୁରୁଣା ମିଟର ଲଗାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଆଗଲପୁର ବ୍ଲକ ଘୁନଘୁଟିପାଲି ନର୍ସରୀକୁ ବିନା ମିଟର ତଥା ବିନା ଏଷ୍ଟିମେଟରେ ବିଜୁଳି ସଂଯୋଗ ଦିଆଯାଇଥିବା ଅଭିଯୋଗ ହୋଇଛି । ହାତୀଙ୍କ ସୁରକ୍ଷା ପାଇଁ ସେମାନଙ୍କ ଚଲାପଥ ଜଙ୍ଗଲ ଅଞ୍ଚଳରେ ୧୦ ରୁ ୧୧ ମିଟର ଉଚ୍ଚତାରେ କେବୁଲ ଲାଇନ ଦିଆଯିବା କଥା । ତେବେ ହାତୀଙ୍କ ସୁରକ୍ଷାକୁ ଆଖିବୁଜି ଦେଇ ବଡଟିକା-ଘୁନଘୁଟିପାଲି ଜଙ୍ଗଲୀ ହାତୀଙ୍କ ଚଲାପଥ ଅଞ୍ଚଳରେ ମାତ୍ର ୯ ମିଟର ଉଚ୍ଚତାରେ ଖୋଲା ବିଜୁଳି ତାର ଟଣାଯାଇଥିବା ଦେଖିବାକୁ ମିଲିଛି । ଅଭିଯୋଗ ସମ୍ପର୍କରେ ସ୍ଥାନୀୟ ସେକ୍ସନ ଅଫିସର ଶୁଭେନ୍ଦୁ ପ୍ରସାଦ ଗିରିଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଲୋଇସିଂହା ବିଦ୍ୟୁତ ସେକ୍ସନରେ ଚାଲିଥିବା ଏଭଳି ବହୁବିଧ ଅବ୍ୟବସ୍ଥା ପ୍ରତି ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.