ଖଡଗ ନଦୀ ଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଞ୍ଚଳ ଦେଇ ଯାଇଥିବା ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ । ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ସମେତ ୩ଟି ଜିଲ୍ଲା ବୌଦ୍ଧର କଣ୍ଟାମାଳ ବ୍ଲକ ଓ ବଲାଙ୍ଗିରର ଗୁଡ଼ଭେଲା ବ୍ଲକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ବୋଲି ଜଣାପଡିଛି । ଏହି ଯୋଜନାରେ ବାଲିଗୁଡା ବ୍ଲକର ଲଣ୍ଡାଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ । ସୂଚନାଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଗ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବୀପତ୍ର ଦେଇଥିଲେ । ଏ ସଂପର୍କରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବୀ ସଂପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!