ନିଖୋଜ ନାବାଳକର ମୃତଦେହ ମାଟି ତଳୁ ଉଦ୍ଧାର ଘଟଣା : ଅପମାନିତ ହେବାରୁ ନାବାଳକ କରିଥିଲେ ଆତ୍ମହତ୍ୟା, ଅଭିଯୁକ୍ତ ଦୁଇ ଭାଇଙ୍କୁ କୋର୍ଟ ଚାଲାଣ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ପ୍ରମୋଦ ଜୈନଙ୍କ ପୁଅ ଲଲିତ ଜୈନ(୧୩)ଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା ହେଉଛି । ଗତ ଜୁଲାଇ ୧୫ ତାରିଖ ଦିନ ସ୍ଥାନୀୟ ତହସିଲଦାର ତଥା ଏକଜ୍ୟୁକୁଟିଭ୍ ମାଜିଷ୍ଟ୍ରେଟ ଅମୃତଲାଲ ବେହେରାଙ୍କ ଉପସ୍ଥିତିରେ କଂଟାବାଂଜି ପୋଲିସ, ଜି.ଆର.ପି. ପୋଲିସ ନିଖୋଜ ଲଲିତଙ୍କ ଶବକୁ ମାଟି ତଳୁ ଖୋଳି ମୃତ ଶରୀର ଉଦ୍ଧାର କରିଥିଲା । ଏହି ମୃତ୍ୟୁକୁ ନେଇ ପରିବାର ବର୍ଗର ସନ୍ଦେହ ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନଥିଲା । ଏହି ଘଟଣାକୁ ନେଇ ପୋଲିସ ଅଧିକ ଛାନବିନ୍ ଚାଲୁ ରଖିଥିବା ବେଳେ ଆଜି ବୁଧବାର ପୋଲିସ ଦୁଇଜଣକୁ ସଂଦେହ କରି ପଚରାଉଚୁରା କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।
କଂଟାବାଂଜି ନୂଆପଡା ନିବାସୀ ପ୍ରମୋଦ ଜୈନଙ୍କ ପୁଅ ଲଳିତ ଜୈନ ଜୁଲାଇ ୧୩ ତାରିଖ ସକାଳୁ ନିଖୋଜ ହୋଇଥିଲା । ଏହି ଘଟଣାକୁ ନେଇ ପ୍ରମୋଦ ନିଜ ପୁଅ ଲଲିତ ନିଖୋଜ ହୋଇଥିବା ନେଇ ଗତ ଜୁଲାଇ ୧୪ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି କଂଟାବାଂଜି ପୋଲିସ ବିଭିନ୍ନ ସୂତ୍ରରୁ ଖବର ପାଇ ଜିଆରପି କଂଟାବାଂଜିଙ୍କ ସହାୟତାରେ ମୃତ ଶରୀରକୁ ଜୁଲାଇ ୧୫ ତାରିଖ ଦିନ ମାଟି ତଳୁ ଉଦ୍ଧାର କରିଥିଲେ । ପରେ ତାଙ୍କ ମୃତ ଶରୀରକୁ ପୋଲିସ ମାଟି ତଳୁ ଖୋଳି ଉଦ୍ଧାର କରିଥିଲା । ଏହି ଘଟଣା ପରେ ପୋଲିସ ତଦନ୍ତକୁ ଗୁରୁତ୍ୱର ସହ କରିଥିବାରୁ ଲକ୍ଷାଧିକ ଟଙ୍କା ଦେଣନେଣକୁ ନେଇ ଲଳିତଙ୍କ ବାପା ପ୍ରମୋଦ ଜୈନକୁ ବିଶାଲ ଅଗ୍ରୱାଲ ଫୋନ ଯୋଗେ ଜଣାଇଥିଲେ । ପରେ ପ୍ରମୋଦ ନିଜ ପୁଅକୁ ଧରି ସତ୍ୟାସତ୍ୟ ଜାଣିବା ପାଇଁ ଆଲିଶାନ ଲାଇଫ ଷ୍ଟାଇଲ ପାଖକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେବା ସହ ଲଲିତ ଓ ତାଙ୍କ ବାପା ପ୍ରମୋଦକୁ ଧମକ ଚମକ ଦେଇଥିଲେ । ଏହି ଘଟଣାକୁ ନେଇ ପୁଅ ଲଳିତ ଅପମାନିତ ହୋଇ ସକାଳୁ ଘରୁ ଚାଲିଯାଇଥିଲେ । ପରେ ଜି.ଆର.ପି. ପୋଲିସ କଂଟାବାଂଜି କୌଣସି ସୂତ୍ରରୁ ଖବର ପାଇ କୁକୁଡାହାତ ରେଲଧାରଣାରୁ ଏକ ମୃତଦେହ ଜବତ କରି ଡାକ୍ତରଖାନାକୁ ନେଇଥିଲା । ପରେ ଶବର ଚିହ୍ନଟ ଏବଂ ଦାବୀଦାର କେହି ନ ଆସିବାରୁ ଜି.ଆର.ପି. ପୋଲିସ ମୃତଦେହକୁ ନେଇ ମାଟି ତଳେ ପୋତି ଦେଇଥିଲା । ପରେ ଟାଉନ ପୋଲିସ ରେଳ ଧାରଣାରରୁ ଏକ ମୃତ ଦେହ ଜି.ଆର.ପି. ପୋଲିସ ଉଦ୍ଧାର କରିଥିବା ସ୍ଥାନୀୟ ପୋଲିସ ଜାଣି ପାରିଥିଲା । ଯାହାକି ଲଳିତଙ୍କ ବାପା ପ୍ରମୋଦଙ୍କୁ ଖବର ଦେବା ପରେ ଲଳିତଙ୍କ ବାପା ଥାନାକୁ ପହଂଚି କଥାବାର୍ତା ହୋଇ ଜାଣିବାକୁ ପାଇଥିଲେ ଯେ, ମୃତ ଶରୀର ତାଙ୍କ ପୁଅ ଲଳିତଙ୍କର । ଲଳିତଙ୍କ ଏହି ମୃତ୍ୟୁ ଘଟଣାକୁ ନେଇ ବିକାଶ ଅଗ୍ରୱାଲ ଓ ବିଶାଲ ଅଗ୍ରୱାଲଙ୍କୁ ପୋଲିସ ମଂଗଲବାର ରାତିରେ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ପରେ ଜାଣିବାକୁ ପାଇଥିଲା ଯେ, ଟଙ୍କା ଦେଣନେଣକୁ ନେଇ ଧମକ ଚମକ ଦେବାରୁ ଲଳିତ ଅପମାନିତ ହୋଇ ଆତ୍ମହତ୍ୟା କରିଥିଲେ । ପରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିବା ସହିତ ଥାନା କେସ( ନଂ. ୧୯୪/୧୪.୭/୨୦୨୩) ଦଫା ୩୬୫,୩୦୫,୩୮୫,୩୪ ଆଇ.ପି.ସି.ରେ ରୁଜୁ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍ ଜେଲକୁ ପଠାଇ ଦେଇଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଲଳିତଙ୍କ ବାପା ପ୍ରମୋଦ ଆହ୍ଲାବାଦ ଅସ୍ତି ବିସର୍ଜନ କରିବାକୁ ଯାଇ ଆଜି ସଂଧ୍ୟାରେ ଫେରି ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଶ୍ରୀରାମ ସେନା, ବଜରଙ୍ଗ ଦଳ ଓ କୋଶଲ ମୁକ୍ତିମୋର୍ଚ୍ଚା ଲଳିତଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗକୁ ନ୍ୟାୟ ମିଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।