ହାଇୱା ଧକ୍କାରେ ନାବାଳକ ଗୁରୁତର, ହାଇୱା ଚମ୍ପଟ୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମହତାବ ଉଚ୍ଚ ବିଦ୍ୟାଳୟ ସନ୍ନିକଟ ପିଡ଼ିକେ ରାସ୍ତାରେ ରବିବାର ସଂଧ୍ୟାରେ ଏକ ହାଇୱା ଧକ୍କାରେ ଜନୈକ ନାବାଳକ ଗୁରୁତର ଭାବେ ଆହତ ହୋଇ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ୍ ସୁଜନପୁର ଗ୍ରାମ ପଞ୍ଚାୟତ ଅଧିନ ସାତ୍ତ୍ୱିକପୁର ଗ୍ରାମର ଚିତ୍ତରଞ୍ଜନ ରଥଙ୍କ ନାବାଳକ ପୁଅ ଦିବ୍ୟରଞ୍ଜନ(୧୬)ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ସାଇକେଲରେ ରାସ୍ତାରେ ଯାଉଥିବା ବେଳେ ମହତାବ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ହାଇୱା ଟ୍ରକ୍ ଦିବ୍ୟରଞ୍ଜନଙ୍କୁ ଧକ୍କା ଦେବାରୁ ସେ ଭାରସାମ୍ୟ ହରାଇ ସାଇକେଲରୁ ତଳେ ପଡ଼ିଯାଇଥିଲେ । ତେବେ ତାଙ୍କ ହାତ ଉପରେ ହାଇୱା ଟ୍ରକଟି ଚଢ଼ିଯିବାରୁ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ବାମ ହାତ ପାପୁଲି ହାଇୱା ଚାପରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡ଼ିତଙ୍କୁ ତୁରନ୍ତ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସମ୍ପ୍ରତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ତେବେ ହାଇୱା ଟ୍ରକ୍ ଧକ୍କା ଦେଇ ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଡେଲାଙ୍ଗ ହାଟ ଠାରୁ ତିରିମଲ୍ଲ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଦୈନନ୍ଦିନ ଏଭଳି ଦୁର୍ଘଟଣାମାନ ଘଟିବା ଯୋଗୁଁ ଲୋକଙ୍କ ଧନ ଜୀବନ ହାନି ହେଉଛି । ଲୋକଙ୍କ ବୃହତ୍ତର ସ୍ୱାର୍ଥ ପ୍ରତି ଗୁରୁତ୍ବ ଦେଇ ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ପୋଲିସ୍ ପ୍ରଶାସନ ବେପରୁଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.