ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ : ଜଣେ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ତଥା ଭବାନୀପାଟଣା – ଖଡ଼ିଆଳ ରାଜ୍ୟ ରାଜପଥ ଚାନ୍ଦୋତରା ଛକଠାରେ ଆଜି ପାହାନ୍ତିଆରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଦାବ୍ରିଗୁଡା ଗାଁର ଭକ୍ତ ନାଏକ । ଦୁର୍ଘଟଣା ଘଟିବା ପରେ ଟ୍ରକ୍‌ ଛାଡ଼ି ଫେରାର ହୋଇଯାଇଛି ଡ୍ରାଇଭର । ସ୍ଥାନୀୟ ଲୋକେ ସ୍ପୀଡ଼ ବ୍ରେକର ନିର୍ମାଣ ଦାବୀ ନେଇ ରାସ୍ତାରୋକ କରିଛନ୍ତି । ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ମଧ୍ୟ ଜିଦ୍‌ରେ ଅଟଳ ଅଛନ୍ତି । ତେବେ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଶବକୁ ଜବତ କରି ଟିଟିଲାଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁର୍ଘଟଣା ଘଟିଥିବା ବୋଲେରୋ ଓ ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅଧିକ ତଦନ୍ତ କରୁଛି ପୋଲିସ । ବିଭିନ୍ନ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.