ନବଜୀବନ ବିଦ୍ୟାପୀଠରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବଜୀବନ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ କିଶୋର ବାଗଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ବୃକ୍ଷ ରୋପଣର ଉପକାରିତା ସଂପର୍କୀୟ ପ୍ଲାଏ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ସହ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ ଏବଂ ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୩ର କାଉନ୍‌ସିଲର ଶ୍ରୀମତୀ ରଜନୀ ବନ୍‌ଛୋର ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥି ଶ୍ରୀ ସାହୁ ବୃକ୍ଷ ରୋପଣ ସଂଗେ ସଂଗେ ବୃକ୍ଷର ଯତ୍ନ ନେବା ଦିଗରେ ଯତ୍ନବାନ ହେବା ସହ ଗଛକୁ ଭଲ ପାଇବାର ମନ୍ତ୍ରରେ ଛାତ୍ରଛାତ୍ରୀମାନେ ମନ୍ତ୍ରିତ ହେବାକୁ ଆହ୍ୱାନ କରିଥିଲେ । କାଉନ୍‌ସିଲର୍‌ ଶ୍ରୀମତୀ ବନ୍‌ଛୋର୍‌ ଗଛର ଯତ୍ନ ନେବା ସହ ମଂଜି ସଂଗ୍ରହ କରି କିଭଳି ଆହୁରି ଗଛ ସୃଷ୍ଟି ହେବ ସେ ଦିଗରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସଭାରେ ଶିକ୍ଷୟତ୍ରୀ ବର୍ଷାରାଣୀ ସାହୁ ବୃକ୍ଷ ସମ୍ବନ୍ଧୀୟ ଏକ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ଅତିଥି ଦ୍ୱୟ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସଂଜୟ କୁମାର ନାଏକ, ବିଶ୍ୱଜିତ କଲେଟ, ବିଜୟ ଛତ୍ରିଆ, ରାଜେଶ କୁମାର, ସେହେନାଜ ବେଗମ, ସ୍ୱାଗତିକା ପଟେଲ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଅଜିତ କଲେଟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାସ୍ତରୀୟ ଆଇନସେବା ପ୍ରାଧିକରଣଙ୍କ ପ୍ରଯୋଜନାରେ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ପାଳିତ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.