ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ଏକ ବୈଠକ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ଚୈତନ୍ୟ ପଟେଲ, ସାରଥୀ ପଟେଲ, ରମେଶ ଚନ୍ଦ୍ର ନାଏକ ଏବଂ ବିରଂଚି ସାଏଙ୍କ ସଂଘକୁ ସ୍ୱାଗତ କରାଯାଇଥିଲା ଏବଂ ସେହି ସଭ୍ୟବୃନ୍ଦ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସଂଘର ବରିଷ୍ଠ ସଭ୍ୟ ବିରଂଚି ବହିଦାର ସରକାରୀ କର୍ମଚାରୀ ତଥା ଶିକ୍ଷକମାନଙ୍କର ନିଯୁକ୍ତି ରାଜ୍ୟସ୍ତରୀୟ ନ ହୋଇ ଜିଲ୍ଲାସ୍ତରୀୟ ହେବା ଉଚିତ୍ ବୋଲି ପ୍ରସ୍ତାବ ଆଗତ କରିଥିଲେ । ଏହି ବିଷୟରେ ଆଲୋଚନା କରାଯାଇ ଓଡିଶା ସରକାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ସଭାପତି ଏବଂ ସାଧାରଣ ସଂପାଦକଙ୍କୁ କ୍ଷମତା ପ୍ରଦାନ କରାଗଲା । ତା’ପରେ ଚଳିତ ମାସ ୩୧ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଭୁବନେଶ୍ୱରର ମାସିକ ବୈଠକରେ ଯୋଗଦାନ କରିବା ସକାଶେ ସଂପାଦକଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଗଲା । ସଭାରେ ୮ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ସର୍ବମୋଟ ୨୪ ଜଣ ସଭ୍ୟ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବରିଷ୍ଠ ସଭ୍ୟ ଲୋକନାଥ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।