ସୁବର୍ଣ୍ଣପୁର ଜିଲ୍ଲାରେ ‘ଭାରତ ବନ୍ଦ’ର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜ଼ାର, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ : ସରକାରୀ ବେସରକାରୀ ଅଫିସ ସବୁ ବନ୍ଦ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳିତ ହୋଇଛି । କେନ୍ଦ୍ର ସରକାର ଦ୍ବାରା ପାରିତ କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ଓ ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ଭାରତ ବନ୍ଦର ପ୍ରଭାବ ସାରା ଜିଲ୍ଲାରେ ପଡିଛି । ଜିଲ୍ଲା କୃଷକ ସଙ୍ଗଠନ ତରଫରୁ ହୋଇଥିବା ବନ୍ଦ ଯୋଗୁଁ ଜିଲ୍ଲା ସଦର ମହକୁମା ସହ ବୀରମହାରାଜପୁର, ବିନିକା, ଉଲୁଣ୍ଡା, ତରଭା ଓ ଡୁଙ୍ଗୁରିପାଲି ବ୍ଲକ ଅଂଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଆନ୍ଦୋଳନକାରୀଙ୍କ ପିକେଟିଂ ହେତୁ ଅନେକ ସ୍ଥାନରେ ଗାଡି ମଟର ଅଟକି ରହିଥିବା ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । ସବୁ ସ୍ଥାନରେ ଦୋକାନ ବଜ଼ାର,ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ-ବେସରକାରୀ ଅଫିସସବୁ ବନ୍ଦ ରହିଛି । ଏହି ବନ୍ଦକୁ ଲୋକେ ସମର୍ଥନ କରିଥିବା ଦେଖା ଦେଇଛି । କୃଷି ଓ କୃଷକର କଲ୍ୟାଣ ପାଇଁ ମୋଦୀ ସରକାର ତୁରନ୍ତ କୃଷି ଆଇନକୁ ଫେରାଇନେବାକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା ଦାବୀ କରିଛନ୍ତି ।