ପ୍ରେମ ବିବାହ ପରେ ପାରିବାରିକ କଳହକୁ କେନ୍ଦ୍ର କରି କୋଦାଳରେ ହାଣି ପତ୍ନୀକୁ ହତ୍ୟାକଲା ସ୍ୱାମୀ : କୋଦଳା ଜବତ ଓ ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗାଁରେ ଉଭୟ ପ୍ରେମୀ ଯୁଗଳ ଘରୁ ଫେରାର ପରେ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜ ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିଥିବା ଖବର ମିଳିଛି । ମୃତ ମହିଳାଙ୍କ ନାମ ବବି ନାଏକ (୨୩) ବୋଲି ଜଣାପଡିଛି । ପୋଲିସ ଶବକୁ ଜବତ କରି ପାଟଣାଗଡ଼ରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏଥିରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଲମ୍ବୋଦର ନାଏକ (୩୬)ଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ କୋଦଳାକୁ ପୋଲିସ ଜବତ କରି ଥାନା କେସ ନଂ ୧୫୮/୨୩ରେ ଏକ ମାମଲା ରୁଜୁ କରି ଥାନା ଆଇଆଇସି ଅବନୀ କୁମାର ସାହୁ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ ଗତ ମଙ୍ଗଳବାର ସକାଳେ ଝରବାହାଲି ଗ୍ରାମର ମୃତ ବବିଙ୍କ ବାପା ଧୁବଲେଶ୍ୱର କଅଁର ତାଙ୍କ ଚାଷ ଜମିରେ ସପରିବାର କପା ମଞ୍ଜି ପୋତୁଥିଲେ । ବବି ମଧ୍ୟ ଉକ୍ତ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଥିଲେ । ସକାଳ ପ୍ରାୟ ୯ଟା ସମୟରେ ଲମ୍ବୋଦର ଉକ୍ତ ଜମିକୁ ଆସି ବବିଙ୍କ ସହ କଥା ବାର୍ତ୍ତା ହେଉଥିବା ବେଳେ କୌଣସି କଥାକୁ ନେଇ ଉଭୟ ମଧ୍ୟରେ କଥା କଟାକଟି ଚାଲିଥିବା ହଠାତ୍‌ ଲମୋଦର ଉତ୍‌କ୍ଷିପ୍ତ ହୋଇ ବବିଙ୍କ ବେକ ପଛପଟକୁ କୋଦଳା (ରଫା)ରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ବବି ତଳେ ପଡିଯିବାରୁ ଅଭିଯୁକ୍ତ ଜଣକ ଦୌଡି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ବବିର ବାପା ଓ ଅନ୍ୟମାନେ ଲମ୍ବୋଦରଙ୍କୁ କାବୁ କରିଥିଲେ । ଗୁରୁତର ଅବସ୍ଥାରେ ବବିଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବବିଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ ସାହୁ, ଏସ୍‌ଆଇ ଆଲୋକ ଭୋଇ, ପିଏସ୍‌ଆଇ କାଜଲ ବାଗ, ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର, ଏଏସ୍‌ଆଇ ଅରକ୍ଷିତ ନାୟକ ଓ ଟାଉନ ହାବିଲଦାର ଭୁବନେଶ୍ୱର ଭୋଇଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଂଚି ଘଟଣାର ଖୋଡ଼ତାଡ ଆରମ୍ଭ କରିଥିଲେ । ପୁଲିସ ଅଭିଯୁକ୍ତ ଲମୋଦରଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା ଚଲାଇଥିବା ସମୟରେ ହତ୍ୟା ଘଟଣାକୁ ସ୍ୱୀକାର କରିବା ପରେ ପୁଲିସ ହତ୍ୟାକାଣ୍ଡ ଘଟିଥିବା ସ୍ଥଳକୁ ନେଇ ସିନ ରିକ୍ରିଏସନ୍‌ କରାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବବି କୁଅର ଓ ଲମ୍ବୋଦର ନାଏକ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏଥିରେ ଦୁହେଁ ଗତ ୨୦୧୬ ମସିହାରେ ଘରୁ ଫେରାର ହୋଇ ହାଇଦ୍ରାବାଦର ସିକନ୍ଦ୍ରାବାଦକୁ ଚାଲି ଯାଇଥିଲେ । ସେଠାରେ ପ୍ରେମ ବିବାହ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପାରିବାରିକ କଲହ ଲାଗି ରହିଥିଲା । ସେଠାରୁ ଫେରି ଆସି ୨୦୧୯ ମସିହାରେ ପୁଣି ଯାଇଥିଲେ । ଏହାପରେ ବବି ଓ ଲମ୍ବୋଦର ଝରବାହାଲି ଗାଁ ଆସିଲା ପରେ ମଧ୍ୟ କଳହ ରହି ଆସୁଥିଲା । ଘଟଣାର ୧୫ ଦିନ ପୂର୍ବରୁ ବବି ସ୍ୱାମୀ ଘରୁ ଲୁଚି ପଳାଇ ଆସି ବାପ ଘରେ ରହୁଥିଲେ । ବର୍ତମାନ ବବିଙ୍କ ଗୋଟିଏ ୬ ବର୍ଷ ଓ ଗୋଟିଏ ୩ ବର୍ଷର ପୁଅ ଅଛନ୍ତି ।

Leave A Reply

Your email address will not be published.