୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୫-ଟି ସଚିବ ଭି.କେ.ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାତାଳୀ ଶ୍ରୀକ୍ଷେତ୍ରରେ ପୂଜାଅର୍ଚ୍ଚନା କରିବା ସହ ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଏବଂ ଏଠାରେ ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଅତିଶୀଘ୍ର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ ବୋଲି ଘୋଷଣା କରିଥିଲେ । ଉଲୁଣ୍ଡା ଖେଳ ପଡ଼ିଆରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହା ସହ ଡୁଙ୍ଗୁରିପାଲି ବ୍ଲକ୍‌ କପାସିରାରେ ୨୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ ବୋଲି ମତପ୍ରକାଶ କରିଥିଲେ । ବିନିକା ବ୍ଲକ୍‌ ଅଧୀନସ୍ଥ ପାପକ୍ଷୟ ଘାଟ ପରିଦର୍ଶନ ବେଳେ ଏହାର ବିକାଶ ନିମନ୍ତେ ଡିପିଆର୍‌ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବାଉଁଶୁଣିରେ ମେଗା ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରି ୬୦ରୁ ଅଧିକ ପଞ୍ଚାୟତକୁ ୪୧୭ କୋଟି ଟଙ୍କା ବ୍ୟୟରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ହେବ ବୋଲି ପ୍ରକାଶ କରିଥିଲେ

। ଏଥିସହିତ ଆସନ୍ତା ଡିସେମ୍ବର ସୁଦ୍ଧା ଡୁଙ୍ଗୁରିପାଲି ବ୍ଲକ୍‌ର ୨୫ ଗୋଟି ପଞ୍ଚାୟତକୁ ପ୍ରଥମ ପର୍ଯ୍ୟାୟରେ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ । ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ୫ଟି ସଚିବ ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ପରିଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ସେଠାରେ ମହିମା ସାଧୁ ଏବଂ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରି ସଂପୃକ୍ତ ଅଂଚଳର ବିକାଶ ପାଇଁ ଅତିଶୀଘ୍ର ମାଷ୍ଟର୍‌ ପ୍ଲାନ୍‌ ତିଆରି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସାଗରପାଲିର ୫-ଟିରେ ରୂପାନ୍ତରିତ ଗଂଗାଧର ମେହେର ହାଇସ୍କୁଲ ଓ ମୁକୁନ୍ଦପୁର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଭି.କେ.ପାଣ୍ଡିଆନ୍‌ । ଡୁଙ୍ଗୁରିପାଲି ବ୍ଲକ୍‌ ଅଧୀନସ୍ଥ ସହଲାରେ ଏକ ସଭାରେ ଯୋଗଦେଇ ଜନସାଧାରଣଙ୍କ ସହ ଆଲୋଚନା କରିଥିବା ବେଳେ ସୋନପୁର ରାମେଶ୍ୱର ଷ୍ଟାଡ଼ିଅମ୍‌ରେ ଅନୁଷ୍ଠିତ ଏକ ସଭାରେ ଯୋଗଦାନ କରି ମିଶନ ଶକ୍ତି ସଦସ୍ୟାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଯୋଜନା ସଂପର୍କରେ ମତବିନିମୟ କରିଥିଲେ ।

ମହାନଦୀ ତଳମୁଣ୍ଡ ସ୍ଥିତ ଖଇରମାଲରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ପାଣ୍ଡିଆନ୍‌ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ସୁବର୍ଣ୍ଣମେରୁ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ସୋନପୁର ନୂତନ ଟାଉନ୍‌ହଲ୍‌ରେ ଅନୁଷ୍ଠିତ ଏକ ସଭାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରି ଜିଲ୍ଲାର ୯ଟି ଡିଗ୍ରି କଲେଜ ଏବଂ ୨୨ଟି ହାଇସ୍କୁଲ୍‌କୁ ୫-ଟିରେ ରୂପାନ୍ତରଣ କରାଯିବ ବୋଲି ଘୋଷଣା କରାଯାଇଥିବା ସୂଚନା ପ୍ରଦାନ କରିଥିଲେ । ନିର୍ମାଣାଧୀନ ଝିଙ୍କିର ୱିଭିଂ ମଲ୍‌ ପରିଶର୍ଦନ କରିବା ସହ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ବୁଣାକାରମାନଙ୍କ ଅଭିଯୋଗ ଶୁଣିଥିଲେ ।

ସେହିପରି ନିର୍ମାଣାଧୀନ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ପରିଦର୍ଶନ କରି ଏହାର ସମୀକ୍ଷା କରିଥିଲେ ୫-ଟି ସଚିବ । ଏହାପରେ ସେ ସ୍ଥାନୀୟ ସୁରେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ । ତେବେ ଏହି ଗସ୍ତ କାର୍ଯ୍ୟକ୍ରମରେ ୫-ଟି ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍‌.ଭିନିଲ୍‌କ୍ରିଷ୍ଣା, ଉତ୍ତରାଂଚଳ ଆଇଜି ଦୀପକ କୁମାର, ସୁବର୍ଣ୍ଣପୁର ଜିଲ୍ଲାପାଳ ବିମେଳେନ୍ଦୁ ରାୟ, ଏସ୍‌ପି ଅମରେଶ ପଣ୍ଡାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାମିଲ୍‌ ଥିଲେ ।

Leave A Reply

Your email address will not be published.