ଭାରିଯାନର ମାଲିକ ଏବଂ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ଟାଉନ ଥାନାରେ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବ୍ଲୁକ ଟେନର ସିପିଙ୍ଗ କଂପାନୀର ମାଲିକ ଅନିମେଶ ସଞ୍ଜୟ ଶର୍ମା ଏବଂ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅପରିଣାମଦର୍ଶିତା ଏବଂ ଅବହେଳା ଯୋଗୁଁ ବରଗଡ ସହର ନିକଟସ୍ଥ ହଲଦିପାଲି ଛକ ନିକଟରେ ପ୍ରତ୍ୟହ ସଡ଼କ ଦୁର୍ଘଟଣା ଘଟୁଛି । ଯଦ୍ୱାରା ଅନେକ ଲୋକଙ୍କର ଅସମୟରେ ମୃତ୍ୟୁ ଘଟୁଛି । ହଲଦିପାଲି ଛକରୁ ସୋହେଲା ଏବଂ ବଲାଙ୍ଗିରକୁ ଯାଇଥିବା ରାସ୍ତାର ଉଭୟ ପାଖରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଉପୋରକ୍ତ କମ୍ପାନୀର ଗାଡିଗୁଡିକ ଘଣ୍ଟା ଘଣ୍ଟା ଛିଡା ହେଉଛି । ପୁନଶ୍ଚ ଉକ୍ତ ଜାଗାରେ ଉପରୋକ୍ତ କମ୍ପାନୀ ତାର ଗାଡ଼ିଗୁଡ଼ିକୁ ସ୍ଥାୟୀ ରୂପେ ପାର୍କିଂ ମଧ୍ୟ କରୁଛି । ଯଦ୍ୱାରା ଉକ୍ତ ରାସ୍ତା ଦେଇ ଯାଉଥିବା ଚାରିଚକିଆ ଏବଂ ଦୁଇଚକିଆ ଯାନଗୁଡ଼ିକ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏବଂ ଧନ ଜୀବନ ହାନି ହେଉଛି । ଉକ୍ତ ରାସ୍ତାଦେଇ ଯାଉଥିବା ସାଧାରଣ ଜନତା ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି ଏବଂ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଉପୋରକ୍ତ କମ୍ପାନୀର ମାଲିକ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି ଏବଂ ପ୍ରତିବାଦ କଲେ ଆକ୍ରମଣର ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏହି ବେଆଇନ ପାର୍କିଂ ବିଷୟରେ ବାରମ୍ୱାର ଅବଗତ କରାଇଲେ ସୁଦ୍ଧା ଉକ୍ତ କମ୍ପାନୀ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅଧିକାରୀ ଚୁପ ରହୁଥିବାରୁ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି । ଏଣୁ ଉପୋରକ୍ତ ଘଟଣାର ତଦନ୍ତ କରି ତୁରନ୍ତ ଟେଙ୍କର ମାଲିକ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ବିଜେପି ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବରଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ପଣ୍ଡା, ରବି ନାରାୟଣ ଦାଶ, ପ୍ରିତମ ସିଂ, ଅକୃର ମଲ୍ଲିକ, ଉର୍କୁଳୁ ତାଣ୍ଡି, ସୁବ୍ରତ ହୋତା, ଅବନିକାନ୍ତ ପଣ୍ଡା, ପରେଶ ବିଶି, ବେଦାନ୍ତ ମିଶ୍ର, ଶୁକୃ ସାହୁ, ସୁଦାମ ମହାପାତ୍ର, ଶୁଭ୍ରାଂଶୁ ଦାଶ, ଦେବେଶ ଶତପଥୀ, ବିପ୍ଳବ ପଲ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.