ଦିନ ଦ୍ୱିପହରରେ ଲୁଟ୍ ଉଦ୍ୟମ କରି ଧରାପଡିଲେ ତିନି ଲୁଟେରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମ ନିକଟରେ ଦିନ ଦ୍ୱିପହରରେ ଲୁଟ୍‌ କରି ତିନି ଜଣ ଲୁଟେରା ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ଅପରାହ୍ନ ୩ଟା ବେଳେ ବଲାଙ୍ଗିରର ରାମ କୁମ୍ଭାର ନାମକ ଜନୈକ ଡ୍ରାଇଭର ବୋଲେରୋ ପିକ୍ଅପ୍ ଗାଡି ନେଇ କୌଣସି କାମରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଉଦ୍ୟାନବନ୍ଧକୁ ଆସି ଫେରୁଥିବା ବେଳେ ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମଠାରେ ତିନି ଜଣ ଯୁବକ ଏକ ବାଇକ (ନମ୍ବର ଓଡି୦୩ୟୁ ୫୭୭୧)ରେ ପିଛା କରି ଜଲପାଙ୍କେଲ ଗ୍ରାମ ନିକଟରେ ପିକ୍ଅପ୍ ଗାଡିକୁ ଅଟକାଇ ଡ୍ରାଇଭରଙ୍କୁ ମାଡ ମାରିବା ସହ ଏକ ମୋବାଇଲ ଓ ଦୁଇ ହଜାର ଟଙ୍କା ଲୁଟି ନେଇଥିଲେ । ପିକ୍ଅପ୍ ଡ୍ରାଇଭର ଜଣକ ଭୟରେ ପାଟି କରିବା ଫଳରେ ପାଖରେ ଥିବା ସ୍ଥାନୀୟ ଲୋକ ଲୁଟେରାଙ୍କୁ କାବୁ କରିଥିଲେ । ପରେ ଲାଠୋର ଡ୍ରାଇଭର ମହାସଂଘର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ । ଖବର ପାଇ ଲାଠୋର ଥାନାଧିକାରୀ ଝସକେତନ ଭୋଇ ଘଟଣା ସ୍ଥଳରେ ପହଞ୍ଚି ତିନି ଅଭିଯୁକ୍ତଙ୍କୁ ଲାଠୋର ଥାନାକୁ ଆଣି ପଚରାଉଚରା କରିଥିଲେ । ଅଭିଯୁକ୍ତ ଯୁବକମାନେ ହେଲେ କରୁଆଁଝର ଗ୍ରାମର ରାଜକୁମାର ଶବର(୨୩), କେଶବ ବାଗ(୩୩) ଓ ହିମାଞ୍ଚଳ ନାଏକ(୨୫) । ପିକ୍‌ଅପ୍‌ ଡ୍ରାଇଭର ରାମ କୁମ୍ଭାର ଏବଂ ଲାଠୋର ଡ୍ରାଇଭର ମହାସଂଘର ସଦସ୍ୟ ମାନେ ଥାନାରେ ପହଞ୍ଚି ତିନି ଯୁବକଙ୍କ ବିରୋଧରେ ଏକ ଏତଲା ଦାୟର କରିଥିଲେ । ଅଭିଯୁକ୍ତମାନେ ଲୁଟିଥିବା ମୋବାଇଲ ଓ ଦୁଇ ହଜାର ଟଙ୍କା ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ ମଧ୍ୟ ଜବତ କରିଛି । ଏନେଇ ଲାଠୋର ଥାନା କେସ୍ ନଂ ୮୨/୨୦୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଲାଠୋର ଥାନାଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.