
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନେ ନିଜର ଦୃଢ଼ ବିଚାର, ରାଷ୍ଟ୍ରବାଦୀ ଚିନ୍ତାଧାରା ଓ ଛାତ୍ର ସମାଜର ଭବିଷ୍ୟତକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସମ୍ମିଳନୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସଭାପତି କ୍ରୀର୍ତ୍ତୀବନ୍ତ ରଣା ନିଜର ମତ ରଖି କହିଥିଲେ, “ମୋ ପାଇଁ ରାଷ୍ଟ୍ର ପ୍ରଥମ, କୁଟ ରାଜନୀତି ନୁହେଁ ।” ଛାତ୍ର ରାଜନୀତି କେବଳ ପଦପଦବୀ କିମ୍ବା କ୍ଷମତା ହାସଲର ମାଧ୍ୟମ ନୁହେଁ, ବରଂ ଏହା ରାଷ୍ଟ୍ର ଓ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ପ୍ରମାଣିତ କରିବାର ଏକ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ପାଦିକା ରୋଜାଲିନ୍ ମାହାନ୍ତି ନିଜର ଉଦ୍ବୋଧନରେ ଛାତ୍ରଶକ୍ତିର ସାମର୍ଥ୍ୟ ଓ ଯୁବପିଢ଼ିର ଭୂମିକାକୁ ଗୁରୁତ୍ୱ ଦେଇ କହିଥିଲେ, “ଆମେ ଇତିହାସ ପଢ଼ୁଥିବା ଛାତ୍ରଛାତ୍ରୀ ନୁହେଁ, ଆମେ କାର୍ଯ୍ୟ ଓ ଚରିତ୍ର ମାଧ୍ୟମରେ ଇତିହାସ ଗଢ଼ୁଥିବା ପିଢ଼ି ।” ତାଙ୍କର ଏହି ବକ୍ତବ୍ୟ ଉପସ୍ଥିତ ଛାତ୍ରନେତାମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା । ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ଅଧିକାର, ଶିକ୍ଷାର ଗୁଣାତ୍ମକ ବିକାଶ, ନେତୃତ୍ୱରେ ନୈତିକତା, ରାଷ୍ଟ୍ର ନିର୍ମାଣ ଏବଂ ସମାଜ ପ୍ରତି ଯୁବପିଢ଼ିର କର୍ତ୍ତବ୍ୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନଙ୍କ ଏହି ଦୃଢ଼ ଓ ସ୍ପଷ୍ଟ ବିଚାରଧାରା ଗଞ୍ଜାମ ଜିଲ୍ଲାର ଛାତ୍ର ନେତୃତ୍ୱର ସକ୍ରିୟତାକୁ ରାଜ୍ୟସ୍ତରରେ ପ୍ରତିଫଳିତ କରିଛି । ଛାତ୍ରଶକ୍ତି କେବଳ କ୍ୟାମ୍ପସ ମଧ୍ୟରେ ସୀମିତ ନରହି ରାଷ୍ଟ୍ର ଓ ସମାଜର ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାର ବାର୍ତ୍ତା ଏହି ସମ୍ମିଳନୀ ମାଧ୍ୟମରେ ପ୍ରତିଧ୍ୱନିତ ହୋଇଥିଲା । ଜ୍ଞାନ, ଚରିତ୍ର ଓ ଏକତାର ମନ୍ତ୍ର ନେଇ ରାଷ୍ଟ୍ର ପୁନଃନିର୍ମାଣର ସଂକଳ୍ପ ସହ ବ୍ରହ୍ମପୁରର ଛାତ୍ରନେତାମାନଙ୍କ ଏହି ଉପସ୍ଥିତି ରାଜ୍ୟସ୍ତରୀୟ ସମ୍ମିଳନୀରେ ଏକ ନୂତନ ଆଲୋଚନାର ବିଷୟ ପାଲଟିଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ ଏବଂ ଅନ୍ୟ ଅତିଥି ଯୋଗ ଦେଇଥିଲେ ।