ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଭଇଁଷାଦର୍ହା ପ୍ରଧାନ ଶିକ୍ଷକ ଥବିର ଚରଣ ରାଉତରାୟଙ୍କର ଅବସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଇଁଠା ପ୍ରଧାନ, ସ୍ୱତନ୍ତ୍ର ଅତିଥି ଭାବେ ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ରାଉତରାୟ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେନ୍ଦ୍ର ପ୍ରଧାନ, ଦିବ୍ୟ କିଶୋର ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ଭାରତୀ ଗିଙ୍ଗିରା, ହୃଷିକେଶ ପୋଡ଼, ଜଗଦିଶ ସାହୁ, ଅବସର ଗ୍ରହଣରେ ଥିବା ପ୍ରଧାନ ଶିକ୍ଷକ ଥବିର ଚରଣ ରାଉତରାୟ ପ୍ରମୁଖ ମଞ୍ଚାସୀନ ଥିଲେ ଜ୍ଝ ଶିକ୍ଷକ ଭୀଷ୍ମ ଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଗିଙ୍ଗିରା ବିବରଣୀ ପଠନ କରିଥିଲେ । ଶ୍ରୀ ରାଉତରାୟଙ୍କ ଦୀର୍ଘ ୪୪ ବର୍ଷ ଶିକ୍ଷକତା କରିବା ପରେ ଅବସର ଗ୍ରହଣ କରିଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଥବିର ଚରଣ ରାଉତରାୟଙ୍କୁ ପ୍ରଶଂସା କରିଥିଲେ ଏବଂ ଶ୍ରୀ ରାଉତରାୟ ନିଜର ଶିକ୍ଷକତା ଜୀବନର ବିବରଣୀ ପାଠରେ ପ୍ରତିପାଦିତ ହୋଇଥିବା ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳତା, ସରଳତା, ସହକର୍ମୀଙ୍କୁ ସ୍ନେହ ଶ୍ରଦ୍ଧା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ହିତରେ ଉଦ୍ବୋଧନ ଦେଇଥଲେ ଏବଂ ମୋ ସ୍କୁଲ ଅଭିଯାନରେ କୋଡିଏ ହଜାର ଟଙ୍କା ସ୍କୁଲକୁ ଦେବା ପାଇଁ ସୂଚନା ପ୍ରଦାନ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଗ୍ରାମବାସୀ ପୂର୍ବତନ ଓ ବର୍ତମାନର ଛାତ୍ରଛାତ୍ରୀ, ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଗ୍ରାମବାସୀ, ପରିଚାଳନା କମିଟି ଶ୍ରୀ ରାଉତରାୟଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ଛତା, ବିଭିନ୍ନ ଉପହାର ପ୍ରଦାନ କରି ବିଦାୟ ଦେଇଥିଲେ । ସ୍କୁଲର ସହକାରୀ ଶିକ୍ଷକ କ୍ଷୀର ସାଗର ନାଏକ, ମନୋହର ଭୋଇ, ବାମନ ବରିହା, ଥବିର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଚାଳନ ପାଇଁ ସହଯୋଗ କରିଥିଲେ । ସିଆର୍ସିସି ବିରଞ୍ଚି ନାୟକ ଏବଂ ବିଷ୍ଣୁ ଚରଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷକ ଭିଷ୍ମଦେବ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଝାରବନ୍ଧ କ୍ଲଷ୍ଟର ସିଆରସିସି ଗୋପାଳ ଚନ୍ଦ୍ର ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।