ବରଗଡ଼ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ନୃସିଂନାଥ ପୀଠରେ ୫ଟି ସଚିବ ଭି.କେ. ପାଣ୍ଡିଆନ

  • ନୂଆବର୍ଷ ପୂର୍ବରୁ ଶେଷ ହେବ ନୃସିଂହନାଥ ପୀଠ ଓ ଦେବଦର୍ହା ପୀଠର ଉନ୍ନତିକରଣ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇ ଦିନିଆ ବରଗଡ଼ ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ. ପଣ୍ଡିଆନ ଆଜି ପ୍ରଥମେ ବରଗଡ଼ ବ୍ଲକ ଅନ୍ତର୍ଗତ ଗିରିଶୁଳ, ଜୀରାନଦୀ ନିକଟସ୍ଥ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ସୋହେଲା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରର ନୂତନ କୋଠାର କାର୍ଯ୍ୟ ସମୀକ୍ଷା କରିଥିଲେ । ସୋହେଲାର ଦୂର୍ଗା ମନ୍ଦିର ପରିଦର୍ଶନ କରିବା ସହିତ ବୀରେନ ବାବାଙ୍କର ସାଧନା କୂଟୀର ପରିଦର୍ଶନ କରି ବାବାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଭି. କେ. ପାଣ୍ଡିଆନ ।

ଏହାପରେ ସୋହେଲା ବ୍ଲକର ହଳଦୀପାଲିଠାରେ ହଜାର ହଜାର ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ ଶଙ୍ଖ ହୁଳହୁଳି ଧ୍ୱନିରେ ଭବ୍ୟ ସ୍ଵାଗତ କରିଥିଲେ ୫ଟି ସଚିବଙ୍କୁ । ମା’ମାନଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ସମସ୍ତଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସବୁ ଅଭିଯୋଗ ପତ୍ରମାନ ତଦନ୍ତ କରାଯାଇ ଯଥାଶୀଘ୍ର ସମାଧାନ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟରୁ ଚାଷୀ ଭାଇ ଭଉଣୀମାନଙ୍କ ସମସ୍ୟାକୁ ଅଧିକ ଗୁରୁତ୍ଵ ଦିଆଯିବ, ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ କରିବା, ମିଶନ ଶକ୍ତିର ଲକ୍ଷ୍ୟ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରୁଛନ୍ତି, ଆପଣମାନେ ଏହି ସୁବିଧାର ସୁବିନିଯୋଗ କରନ୍ତୁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ବ୍ଲକର କୁରୁମକେଲ ଠାରେ ନୂତନ ଭାବରେ ବସତି ସ୍ଥାପନ କରିଥିବା କଲୋନୀକୁ ପରିଦର୍ଶନ କରି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଠାରେ ମଧ୍ୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ତାଙ୍କଠାରୁ ବିଭିନ୍ନ ପ୍ରକାର ଦାବୀପତ୍ର ଗ୍ରହଣ କରିଥିଲେ । ଏସବୁ ସମସ୍ୟା ସମ୍ପର୍କରେ ବିଭିନ୍ନ ସ୍ତରରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଏହାପରେ ପାଇକମାଳ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ସହିତ ଭାବ ବିନିମୟ ବେଳେ ପ୍ରତ୍ୟେକ ଛାତ୍ର ଛାତ୍ରୀ ସ୍ମାର୍ଟ ଶ୍ରେଣୀ ଗୃହରେ ପାଠପଢି ଜୀବନରେ କଠିନ ପରିଶ୍ରମ ବଳରେ ନିଜର ଲକ୍ଷ୍ୟ ହାସଲ କରନ୍ତୁ ବୋଲି କହିଥିଲେ । ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟ ମଧ୍ୟ ଅତିଶୀଘ୍ର ୫ଟିରେ ରୂପାନ୍ତରିତ ହେବ । ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠକୁ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରି ନୂଆ ବର୍ଷ ପୂର୍ବରୁ ଏହାର କାର୍ଯ୍ୟ ସମାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯାହାବି ଟଙ୍କା ଅନୁଦାନ ଆକାରରେ ଦେଉଛନ୍ତି, ତାହା ଆପଣ ମାନଙ୍କର, ଆପଣମାନେ ସ୍ଵଚ୍ଛତାର ସହିତ କାମ କରନ୍ତୁ ଏବଂ ଏହାକୁ ରାଜ୍ୟର ଏକ ସୁବିକଶିତ ପର୍ଯ୍ୟଟନ କ୍ଷେତ୍ର ହିସାବରେ ଗଢି ତୋଳନ୍ତୁ । ଭଲ କାମ କଲେ ଭିତ୍ତିଭୂମି ପାଇଁ ଆବଶ୍ୟକୀୟ ଅର୍ଥ ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ ।

ପାଇକମାଳର କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନ କରି ପାର୍ବତୀଗିରିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଅନାଥାଶ୍ରମର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଏହାପରେ ପଦ୍ମପୁରର ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବିଶାଳ ସମାବେଶରେ ଯୋଗ ଦେଇଥିଲେ ୫ଟି ସଚିବ । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ବୁଦ୍ଧିଜୀବୀ ଏବଂ ସର୍ବୋପରି ପଦ୍ମପୁର ଅଞ୍ଚଳବାସୀଙ୍କ ଦ୍ଵାରା ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ପଦ୍ମପୁରର ବହୁମୁଖୀ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିବା ପରେ ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ଦାବୀପତ୍ରମାନ ଦିଆଯାଇଥିଲା ।

ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.