ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

  • ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଉଦ୍‌ବୋଧନ ଦେଇ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସଂଗଠିତ ଭାବେ ସବୁ ସ୍ତରରେ ଉତ୍ତମ ସମନ୍ଵୟ ରଖି ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଏଥିନିମନ୍ତେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ ଚନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା, ଡିଏସ୍‌ପି, ଏଚ୍‌ଆର୍‌ପିସି ସସ୍ମିତା ବାରିକ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଘନଶ୍ୟାମ ମୁଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ଚନ୍ଦ୍ର ବିଶ୍ଵାଳ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଲମ୍ବୋଦର ଦୀପ, ଚାଇଲ୍ଡ ଲାଇନର କର୍ମକର୍ତ୍ତା ଓ ବେସରକାରୀ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ ଓ ଶ୍ରମ ନିରୀକ୍ଷକମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ ଶ୍ରମ ଆଇନ ୧୯୮୬ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୪ ବର୍ଷରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ ତେଣୁ ଏ ସମ୍ପର୍କରେ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଆଲୋଚନା କରିଥିଲେ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୪ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କିଶୋରମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ କରିବାର ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ । ଏତଦ୍‌ ବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ବୈଠକରେ ଶିଶୁ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କୁ ଉଦ୍ଧାର ଓ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଶ୍ରମ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ତୃଣମୂଳ ସ୍ତରରେ ଶ୍ରମ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.