ଛତ୍ରପୁରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବାମନ, ପର୍ଶୁରାମ ଓ ଭୁବନେଶ୍ୱରୀ ବେଶ ଦେଖି ଭକ୍ତ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥରେ ବିଜେ ହୋଇ ଆଡ଼ପ ଘରକୁ ଆସିବାର ପରମ୍ପରା ପ୍ରଚଳିତ ଅଛି । ଆଡ଼ପ ଘରେ ନବଦିନ ବ୍ୟାପି ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମାହିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟାରେ ଆଡ଼ପ ଘରେ ଭକ୍ତଙ୍କ ସମାଗମ ହୋଇଥାଏ । ସେଠି ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ଦୈନିକ ସନ୍ଧ୍ୟାରେ ବିଭିନ୍ନ ବେଶ ଲାଗି ହୋଇ ଆସୁଅଛି । ଛତ୍ରପୁରର ମେନ ରୋଡ଼ ଅବା ବଡଦାଣ୍ଡ ମଝି ବଜାରରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଙ୍ଗଳ ଆରତୀ ଦେଖିବାକୁ ଭକ୍ତଙ୍କ ସମାଗମ ହୋଇଥାଏ । ମତ୍ସ୍ୟ, କଚ୍ଛପ, ବରାହ, ଶ୍ରୀନୃସିଂହ ସମାହିତ ହୋଇ ଗତକାଲି ଅର୍ଥାତ ରବିବାର ସନ୍ଧ୍ୟାରେ ତିନି ଦିଅଁଙ୍କର ବାମନ, ପର୍ଶୁରାମ ଓ ଦେବୀ ସୁଭଦ୍ରାଙ୍କର ଭୁବନେଶ୍ୱରୀ ବେଶ ଭକ୍ତମାନେ ଦର୍ଶନ କରି ଆତ୍ମବିଭୋର ହୋଇ ଉଠିଛନ୍ତି । ଏଠାରେ ପ୍ରତିବର୍ଷ ଦଶଅବତାର ବେଶ ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନର ଗହଳ ଚହଳ ଲାଗି ରହୁଛି । ଦୈନିକ ଆଧ୍ୟାତ୍ମିକତାର ବାତାବରଣରେ ସ୍ଥାନଟି ଉଚ୍ଛୁଳି ପଡୁଛି । ଛତ୍ରପୁରର ପ୍ରଚଳିତ ପ୍ରାୟତଃ ଦୁଇ ଶହ ବର୍ଷର ଶ୍ରୀ ଜଗନ୍ନାଥ ଚେତନା ଧର୍ମର ପ୍ରଚାର ଲାଭ କରି ଆସି ଆଜି ଯାଏଁ ଏହି ନିଆରା ପରମ୍ପରା ବଜାୟ ରହି ଆସିଛି । ଏପରିକି ରାଜାଘର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବଡ଼ଏକାଦଶୀ ଦିନ ସନ୍ଧ୍ୟାରେ ରଥ ଉପରେ ଶ୍ରୀ ଜୀଉଙ୍କ ସୁନାବେଶ ହୋଇଥାଏ । ଏହି ବିଶେଷତା ନେଇ ଛତ୍ରପୁର ସହରର ରାଜାଘର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଧିକା ଚଳଚଞ୍ଚଳ ହୋଇଥାଏ । ଛତ୍ରପୁରର ଇତିହାସରେ ଏହା ଏକ ଅନନ୍ୟ ନିଆରା ପରମ୍ପରା ସୃଷ୍ଟି କରି ଆସିଛି ।

Leave A Reply

Your email address will not be published.