ଉନ୍ନତ ଗମନାଗମନ ବ୍ୟବସ୍ଥା ଅଂଚଳର ସାମୁହିକ ବିକାଶ ପାଇଁ ରାସ୍ତା ଖୋଲେ : ନରସିଂହ

  • ଚନ୍ଦନଭାଟି – ଛତାମଖନା ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ଦେଲେ ନରସିଂହ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ଣରେ ବଲାଙ୍ଗିର – ସମ୍ବଲପୁର ରାସ୍ତା ଏନ୍‌ଏଚ୍‌ ୨୬ ଛତାମଖନା ଛକଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଶ୍ରୀ ମିଶ୍ରଙ୍କ ଦ୍ୱାରା ପ୍ରସ୍ତାବିତ ସଦର ବ୍ଲକ ଚନ୍ଦନଭାଟି ଭାୟା କଅଗାଁ, ମିର୍ଦ୍ଧାପାଲିରୁ ଛତାମଖନା ଛକ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମହାଆଡମ୍ବରରେ ହୋଇଯାଇଛି । ଏହା ପରେ ବିଭିନ୍ନ ପଂଚାୟତରୁ ଆସିଥିବା ଲୋକ ସହ ଭାବ ଆଦାନ ପ୍ରଦାନ ପାଇଁ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଲେ ପୂର୍ବରୁ ଥିବା ସଂକୀର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ ହେବା ଦ୍ୱାରା ଗମନାଗମନର ବିକାଶ ସହ ରାସ୍ତା ପାଶ୍ୱର୍ ବିଭିନ୍ନ ଗ୍ରାମାଞ୍ଚଳର ଅର୍ଥନୈତିକ ତଥା ସାମାଜିକ ଏବଂ ଶିକ୍ଷାକ୍ଷେତ୍ରରେ ବିକାଶ ଦିଗରେ ସହାୟକ ହେବ, ସମୁଦାୟ ୪ କିମି ରାସ୍ତା ନିର୍ମାଣ ପାଇଁ ୨କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଏବଂ ଆସନ୍ତା ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ ହେବ । ଲୋକଙ୍କ ଦାବୀ ମୁତାବକ ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ୟମ କ୍ରମେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଛତାମଖନା ମହାବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା ଓ ସ୍ଥାନୀୟ ପୋଖରୀର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁରି ପାଇଥିବାରୁ ଅଂଚଳବାସୀଙ୍କ ତରଫରୁ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଖୁବ୍‌ ଶୀଘ୍ର ସୁକତେଲ ନଦୀରେ ୧୫୮ କୋଟି ଟଙ୍କାରେ ନିର୍ମାଣାଧିନ ବ୍ୟାରେଜ କାମ ସମ୍ପୂର୍ଣ୍ଣ ହେଲା ପରେ ଅଂଚଳର ଭୂତଳ ଜଳ ବୃଦ୍ଧି ପାଇବ ଓ ନଦୀର ଉଭୟକୂଳରେ ଥିବା ଗାଁମାନଙ୍କ ଚାଷୀମାନେ ଲାଭବାନ ହେବେ । ଆଜିର ଏହି କାର୍ଯ୍ୟକ୍ରମକୁ ଯୁବନେତା ଶୁଭ୍ରାଂଶୁ ଶେଖର ପଣ୍ଡା ସଂଯୋଜନା କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନିର୍ମାଳ ଚନ୍ଦ୍ର ଜେନା ଏବଂ ଉପବିଭାଗୀୟ ଯନ୍ତ୍ରୀ ବୁଦେ୍ଧଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଛତାମଖନା, ମିର୍ଦ୍ଧାପାଲି, ସକମା ସହ ଅନ୍ୟାନ୍ୟ ପଂଚାୟତରୁ ବହୁ ବର୍ତ୍ତମାନ ତଥା ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.