jayashree

ରାଜସ୍ଥାନରେ ବିକ୍ରି ୨ ନାବାଳିକାଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ନାବାଳିକାଙ୍କୁ ଚାକିରି ସହ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଇ ସୁଦୂର ରାଜସ୍ଥାନରେ ବିକ୍ରି କରିଦେଇଥିଲା ଅଭିଯୁକ୍ତ । ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁର ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି କରାଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ । ଟିଟିଲାଗଡ଼ ଥାନା ଟିକ୍ରାପଡାର କାହ୍ନୁ ରତେଇ ଚାକିରି ସହ ବିଭିନ୍ନ ପ୍ରଲୋଭନ ଦେଖାଇ ରାଜସ୍ଥାନର ନାଗାଉର ଜିଲ୍ଲାର ଏକ ଗାଁରେ ୨ ନାବାଳିକାଙ୍କୁ ବିକ୍ରି କରିଦେଇଥିଲା । ଏନେଇ ଉଦ୍ଧାର ପରେ ପୋଲିସ ନିକଟରେ ନାବାଳିକା ମାନେ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୁକ୍ତ ଅନ୍ୟ ଏକ କେସରେ ସମ୍ପୃକ୍ତ ଥିବାରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗତ ମଇ ମାସ ୬ ତାରିଖରେ ନାବାଳିକାଙ୍କ ବାପା ଖେଂଜା ତାଣ୍ଡି ବଙ୍ଗୋମୁଣ୍ଡା ଥାନାରେ ନିଖୋଜ ହୋଇଥିବା ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହା ସହ ବିହାରର ଜଣେ ନାବାଳିକାଙ୍କୁ ମଧ୍ୟ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ । ନାବାଳିକା ଜଣକ ପରିବାର ଲୋକଙ୍କୁ ମୋବାଇଲରେ ମେସେଜ ମାଧ୍ୟମରେ ବିକ୍ରି କରିଥିବା ସୂଚନା ଦେଇଥିଲେ । ପରେ ବଙ୍ଗୋମୁଣ୍ଡା ପୋଲିସ ସେଠାକୁ ଯାଇ ଉଦ୍ଧାର କରିଥିବା ଜଣାପଡିଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ବଙ୍ଗୋମୁଣ୍ଡା ଆଇଆଇସି ପ୍ରଣୟ ମୁର୍ମୁ ।

Leave A Reply

Your email address will not be published.