ଝାରଖଣ୍ଡର ଦର୍‌ପା ଗ୍ରାମରୁ ଜଣେ ସାଇବର ଠକକୁ ଗିରଫ କଲା ବଲାଙ୍ଗିର ସାଇବର ଥାନା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଇବର ପୋଲିସକୁ ଏକ ବଡ ସଫଳତା ମିଳିଛି । ଝାରଖଣ୍ଡର ଦର୍‌ପା ଗ୍ରାମରୁ ଜଣେ ସାଇବର ଠକକୁ ବଲାଙ୍ଗିର ସାଇବର ପୋଲିସ ଗିରଫ କରିଥିବା ବେଳେ ଆଜି ଏ ସଂପର୍କରେ ସାଇବର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପାଚେର ଗ୍ରାମର ଗଣେଶ ପଧାନ(୪୪) ସାଇବର୍‌ ଠକେଇର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ସାଇବର୍‌ ପୋଲିସ ତତ୍ପରତାର ସହ ତଦନ୍ତ କରି ଆଜି ସାଇବର୍‌ ଠକକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୋଗ ଅନୁସାରେ ଗଣେଶ ପଧାନ ଫେସ୍‌ବୁକ୍‌ରୁ ଦେଖି ସ୍କାଏକାର୍ଟରୁ ସେ ତିନୋଟି ପାଣିଟେପ୍‌ ଅର୍ଡରର କରିଥିଲେ । ପାଣିଟେପ୍‌ ଆସିବା ପରେ ତାଙ୍କ ପତ୍ନୀଙ୍କର ତାହା ପସନ୍ଦ ହୋଇନଥିଲା । ତାପରେ ତାହା ଫେରସ୍ତ କରିବାକୁ ସେ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜିଥିଲେ ଏବଂ ଏକ ଫ୍ରଡ଼୍‌ ନମ୍ବର ପାଇଥିଲେ । ସେହି ନମ୍ବରକୁ କଲ୍‌ କରିବାରୁ ତାଙ୍କୁ ଆଉ ଏକ ଯୋଗାଯୋଗ ନମ୍ବର ଦିଆଯାଇଥିଲା । ସେହି ନମ୍ବରରେ ଗଣେଶ ପଧାନ ଯୋଗାଯୋଗ କରିବା ପରେ ତାଙ୍କୁ ଏକ ଗୁଗୁଲ୍‌ ଲିଙ୍କ ଦେଇ କ୍ଲିକ୍‌ କରିବାକୁ କୁହାଯାଇଥିଲା । ଏହି ଗୁଗୁଲ୍‌ ଲିଙ୍କ୍‌କୁ କ୍ଲିକ୍‌ କରିବା ପରେ ତାଙ୍କୁ ୟୁପିଆଇ କୋଡ଼ ଓ ପିନ୍‌ ନମ୍ବର ଦେବାକୁ ଅପ୍‌ସନ୍‌ ଆସିବା ପରେ ସେ କିଛି ସମସ୍ୟା ହୋଇପାରେ ବୋଲି ଅନୁଭବ କରି ତାଙ୍କ ଏସ୍‌ବିଆଇ ଆକାଉଣ୍ଟରୁ ବେଙ୍କ ଅଫ୍‌ ବରୋଦା ଆକାଉଣ୍ଟକୁ ସମସ୍ତ ଟଙ୍କା ଟ୍ରାନ୍‌ନ୍ସଫର୍‌ କରିଦେଇଥିଲେ । ଏହାପରେ ତାଙ୍କୁ ଏକ ରିମୋଟ ଆପ୍‌ ଡାଉନ୍‌ଲୋଡ଼୍‌ କରିବାକୁ କୁହାଯାଇଥିଲା । ଏହା ଡାଉନ୍‌ଲୋଡ଼୍‌ କରୁ କରୁ ତାଙ୍କ ମୋବାଇଲ୍‌ ହେକ୍‌ ହୋଇଯାଇଥିଲା । ଯେହେତୁ ଗଣେଶ ପଧାନଙ୍କ ଏସ୍‌ବିଆଇ ଆକାଉଣ୍ଟ ଓ ବେଙ୍କ ଅଫ୍‌ ବରୋଦା ଆକାଉଣ୍ଟରେ ସମାନ ଗୋଟିଏ ମୋବାଇଲ୍‌ ନମ୍ବର୍‌ ଲିଙ୍କ୍‌ ଥିଲା, ସେଥିପାଇଁ ସାଇବର୍‌ ଠକ ତାଙ୍କ ବ୍ୟାଙ୍କ ଅଫ୍‌ ବରୋଦା ଆକାଉଣ୍ଟରୁ ୯୯ ହଜାର ୮ ଶହ ୮୯ ଟଙ୍କା ଉଠାଇ ନେବାରେ ସଫଳ ହୋଇଥିଲା । ଏହି ଘଟଣା ସଂପର୍କରେ ଗତ ୨ ତାରିଖ ଦିନ ବଲାଙ୍ଗିର ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ ଗଣେଶ ପଧାନ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସାଇବର୍‌ ପୋଲିସ ଝାରଖଣ୍ଡ ଯାଇ ମୋବାଇଲ୍‌ ନମ୍ବର ଟ୍ରେସ୍‌ କରିବା ସହ ଦେଓଘର ଜିଲ୍ଲା ସାରଥ୍‌ ଥାନା ଅନ୍ତର୍ଗତ ଦର୍‌ପା ଗାଁରୁ ଅଭିଯୁକ୍ତ ରୋହିତ ଠାକୁର(୨୪)କୁ ଗିରଫ୍‌ କରିଥିଲା । ଅଭିଯୁକ୍ତଠାରୁ ୪ଟି ଅବ୍ୟବହୃତ ସିମ୍‌ କାର୍ଡ, ଗୋଟିଏ ୧୬ ଜିବି ସେନ୍‌ଡିକ୍ସ ମେମୋରି କାର୍ଡ ମଧ୍ୟ ଜବତ୍‌ କରିଥିବା ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଶ୍ରୀ ବାଗଙ୍କ ସହ ସାଇବର୍‌ ଥାନା ଆଇଆଇସି ଭାରତୀ ନାଏକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.