ବଲାଙ୍ଗିର, (କେପିଏନ୍ଏସ୍) : ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଜି ବଲାଙ୍ଗିର ସଦର ମହକୁମାରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ । ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ତଥା ମହିଳାମାନଙ୍କୁ ଉଚିତ୍ ନ୍ୟାୟ ମିଳୁ ନଥିବା ଯୋଗୁଁ ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ୧୨ ଘଂଟିଆ ବଲାଙ୍ଗିର ବନ୍ଦ କରିଛି । ଏହି ବନ୍ଦ ପାଳନରେ ଆଜି ସକାଳୁ ସକାକୁ ପିକେଟିଂ କରି ମୁଖ୍ୟ ଡାକଘରକୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ ସରକାରୀ ବେସରକାରୀ ଅଫିସ୍କୁ ମଧ୍ୟ ବନ୍ଦ କରାଯାଇଥିବା ବେଳେ ସହରରେ ସ୍କୁଲ କଲେଜ ବନ୍ଦ ଥିବା ଦେଖିବାକୁ ମିଳିଛି । ସହରରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ ଏହି ବନ୍ଦ ପାଳନକୁ ବଲାଙ୍ଗିରର ବିଭିନ୍ନ ସଂଗଠନ ସର୍ମଥନ ଜଣାଇଥିବା ସୂଚନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡିଶା ମହିଳା ସଂଗଠନର ସଦସ୍ୟମାନଙ୍କ ସହ ସମର୍ଥନ ଜଣାଇଥିବା ନଗର କଂଗ୍ରେସ ଓ ସହରର ଅନ୍ୟ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଜିଲ୍ଲାରେ ବଢ଼ୁଥିବା ନାରୀ ନିର୍ଯ୍ୟାତନା ଉପରେ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ପ୍ରକାର ନାରା ଦେଇ ନିଜ ଦାବୀ ଉପସ୍ଥାପନ କରିଛନ୍ତି ।
Prev Post