ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମକୁ ଜାତୀୟ ଜଳ ପୁରସ୍କାର

ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ଗ ୧୭ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ପୁରସ୍କୃତ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ମନୋନୀତ ହୋଇଛି । ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ଵାରା ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ୧୧ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ପାଇଁ ବିଭାଗ ପକ୍ଷରୁ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତିପତ୍ର ସହ ଟ୍ରଫି ଏବଂ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ ବୋଲି ନୂଆଦିଲ୍ଲୀରୁ କେନ୍ଦ୍ରଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ଗ ୧୭ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ପ୍ଲେନାରୀ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରିବେ । ସରକାରଙ୍କର ଜଳ ସମୃଦ୍ଧ ଭାରତ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଚାଲିଥିବା ଦେଶବ୍ୟାପୀ ଅଭିଯାନର ଏକ ଅଂଶ ଭାବରେ ଜାତୀୟ ଜଳ ପୁରସ୍କାର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସଂଗଠନ ଦ୍ଵାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଏବଂ ପ୍ରୟାସକୁ ଉତ୍ସାହିତ କରିବା ଉପରେ ଗୁରୁତ୍ଵ ଦେଇଥାଏ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି । ଦେଶରେ ଜଳ ସମ୍ପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଏକ ସମନ୍ୱିତ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ବିବେଚନା କରାଯାଇଛି । ଡିଓଡବ୍ଲ୍ୟୁଆର୍, ଆର୍‌ଡି ଏବଂ ଜିଆର ଦ୍ଵାରା ୨୦୧୮ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା । ଦ୍ଵିତୀୟ ଏବଂ ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ କୋଭିଡ୍ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା ।

ଚଳିତବର୍ଷ ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ପାଇଁ ଏବଂ ଓଡ଼ିଶାର ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାହୀ କୋଥାଗୁଡେମ୍ ଜିଲ୍ଲାର ଜଗନ୍ନାଥପୁରମ୍ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ ଚଣ୍ଡୀଗଡ଼ ମ୍ୟୁନିସିପାଲିଟି କର୍ପୋରେସନକୁ ଚଣ୍ଡୀଗଡ଼ ଶ୍ରେଷ୍ଠ ସହରୀ ଭାବେ ସ୍ଥାନୀୟ ସଂସ୍ଥା ପୁରସ୍କାର, ହରିୟାନାର ଗୁରୁଗ୍ରାମ ସ୍ଥିତ ଆଡଭାନ୍ସ ୱାଟର ଡାଇଜେଷ୍ଟ ପ୍ରାଇଭେଟ ଲିମିଟେଡକୁ ସର୍ବୋତ୍ତମ ମିଡିଆ ପୁରସ୍କାର, ଗୁଜରାଟର ମେହ ସାନାସ୍ଥିତ ଜାମିୟତପୁରା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.