ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗାଁର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ବଲାଙ୍ଗିର ଜିଲ୍ଲା ଶେଷ ସୀମାରେ ଥିବା ବଙ୍ଗୋମୁଣ୍ଡା ବ୍ଲକ ଘର୍ଲା ଗାଁରୁ ଜାମଖୁଣ୍ଟା ଛକ ତଥା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି । ସରକାର ଗ୍ରାମାଂଚଳର ଗମନାଗମନ ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ପ୍ରକୃତରେ ଦେଖିବାକୁ ଗଲେ ତାହା ଅଲଗା । ଉପାନ୍ତରେ ଥିବା ଘର୍ଲା ଗାଁଠାରୁ ଜାମଖୁଣ୍ଟା ଛକ ତଥା ୧୬ ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ଏବେ ଅନେକ ସ୍ଥାନରେ ବଡ ବଡ ଖାଲଥିବାରୁ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି । ଏହି ରାସ୍ତା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ଥିବାରୁ ସରକାରୀ ବାବୁଙ୍କ ନଜର ପଡିନାହିଁ । ଖାଲି ନିର୍ବାଚନ ହେଲେ ନେତା ମନ୍ତ୍ରୀମାନେ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି ନିର୍ବାଚିତ ହେବା ପରେ ତାଙ୍କ ଦେଖା ମିଳେନାହିଁ ବୋଲି ସ୍ଥାନୀୟ ଲୋକେ କହନ୍ତି । ରାସ୍ତା ଏବେ ମରଣଯନ୍ତା । ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା ହେବାର ଆଶଙ୍କା ରହିଛି । ଏହି ରାସ୍ତାର ସମସ୍ୟାକୁ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା ଉପରେ ଦୈନନ୍ଦିନ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜନସାଧାରଣମାନେ ଯିବା ଆସିବା କରୁଛନ୍ତି । ଗତ କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ ରାସ୍ତା ଉନ୍ନତିକରଣ କରାଯାଇଥିଲା ହେଲେ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କିଛି ବର୍ଷ ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ବିଭିନ୍ନ ସମୟରେ ଏହି ରାସ୍ତାରେ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ ନ ହେଲେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଗ୍ରାମର ଲୋକେ ବର୍ଜନ କରି ଆନ୍ଦୋଳନ କରିବୋ ବେଲି ଚେତାବନୀ ଦେଇଛନ୍ତି । ସରକାର ରାସ୍ତା ଗୁଡିକର ଉନ୍ନତି କରଣ କଥା କହୁଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ତେବେ ସରକାରଙ୍କ ନଜର ଏହି ରାସ୍ତା ଉପରେ କେବେ ପଡିବ ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
Next Post