୨ ମାସ ହେଲା ଦେଓଗାଁ ପଞ୍ଚାୟତ ଜିଆର୍‌ଏସ୍‌ ଶୂନ୍ୟ : କାମ ନ ପାଇ ହଟହଟା ଶ୍ରମିକ

ଦେଓଗାଁ, (ମନୀଷ କୁମାର ସାହୁ) : ୨ ମାସ ହେଲା ଦେଓଗାଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ (ଜିଆରଏସ) ଶୂନ୍ୟ ହୋଇପଡ଼ିଛି । ଯାହା ଫଳରେ ପ୍ରତିଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ଚାଲିଥିବା ମାହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରୁଥିବା ଶ୍ରମିକମାନେ କାମ ନ ପାଇ ହଟହଟା ହେଉଥିବା ଜଣାପଡ଼ିଛି । ଯେହେତୁ ଜିଆର୍‌ଏସ୍‌ ଦ୍ୱାରା ମନରେଗା ଯୋଜନାରେ ହେଉଥିବା କାମ ତାଙ୍କ ଅଧୀନରେ ହିଁ ହୋଇଥାଏ । ତେଣୁ ଠପ୍‌ ହୋଇଯାଇଛି । ପ୍ରତିଦିନ ଦେଓଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ ବିଭାରଙ୍କୁ ଆସି କାମ ଯୋଗାଇ ଦେବା ପାଇଁ ଶ୍ରମିକମାନେ ଅନୁରୋଧ କରୁଛନ୍ତି । ଜଣେ ଜିଆର୍‌ଏସ୍‌ ନିଯୁକ୍ତି କରିବା କିମ୍ବା ପଡ଼ୋଶୀ ପଞ୍ଚାୟତର ଜିଆର୍‌ଏସ୍‌ଙ୍କୁ ଦାୟିତ୍ୱ ଦେବା ପାଇଁ ଦେଓଗାଁ ବିଡ଼ିଓଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୯/୪/୨୦୨୩ ତାରିଖ ଦିନ ଦେଓଗାଁ ପଞ୍ଚାୟତର ଯୁବ ଗ୍ରାମ ରୋଜଗାର ସେବକ ଅଶୋକ ସାହୁଙ୍କ ଅକାଳ ବିୟୋଗ ଘଟିଥିଲା । ସେହିଦିନଠାରୁ ଏହି ପଦବୀ ଖାଲି ରହିଛି । ନୂତନ ଜିଆର୍‌ଏସ୍‌ ନିଯୁକ୍ତି କରିବାରେ ଯଦିଓ ବିଳମ୍ବ ହେଉଛି ତାହା ହେଲେ ପଡୋଶୀ ପଞ୍ଚାୟତର ଜିଆର୍‌ଏସ୍‌ଙ୍କୁ ଦାୟିତ୍ୱ ଦେବାକୁ ବାରମ୍ବାର ଅନୁରୋଧ କରାଯାଉଛି । ଯଦି ତୁରନ୍ତ ବ୍ଲକ ପ୍ରଶାସନ ଏହି କ୍ଷେତ୍ରରେ ସହଯୋଗ ନ କରିବେ ତାହା ହେଲେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଦାବୀ କରିବେ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.