ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୪ଟା ବେଳେ ବିଲେଇସାଥୀ ଗ୍ରାମର ହେମସାଗର ସାହୁ (୩୫) ଶୌଚ କରିବା ପାଇଁ ବ୍ରିଜ ନିକଟରେ ଥିବା କୁକୁରଖାଇ ନାଳକୁ ଯାଇଥିଲେ । ଫେରିବା ସମୟରେ ବୁଦା ତଳେ ଗୋଟିଏ ବ୍ୟାଗ ଦେଖିଥିଲେ । ପାଖରେ କେହି ନଥିବାରୁ ଉତ୍ସୁକତାରେ ବ୍ୟାଗକୁ ଖୋଲି ଦେଖିବା ବେଳକୁ ବ୍ୟାଗରୁ ବିସ୍ପୋରଣ ଘଟିଥିଲା । ବିସ୍ପୋରଣରେ ଶ୍ରୀ ସାହୁ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଇଛି । ଖବର ପାଇ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ, ତହସିଲଦାର ଲକ୍ଷ୍ମଣ ମାଝୀ, ଥାନା ଏଏସ୍ଆଇ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ରେଡକ୍ରସ ତରଫରୁ ତାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମାନବିକତାର ପରିଚୟ ଦେଖାଇ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ହେମସାଗର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ବିଷୟରେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନଙ୍କୁ ପଚାରିବାରୁ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ।
Next Post