‘ନବୀନ’ ସମ୍ବାଦପତ୍ର ହେଉଛି ପ୍ରତିଷ୍ଠିତ ଲେଖକମାନଙ୍କ ମାର୍ଗଦର୍ଶକ : ୯୪ତମ ସ୍ୱନକ୍ଷତ୍ର ଉତ୍ସବରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ
ବ୍ରହ୍ମପୁର, (କେପିଏନ୍ଏସ୍) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା “ନବୀନ’ କେବଳ ସମ୍ବାଦପତ୍ର ନୁହଁ ବରଂ ପ୍ରତିଷ୍ଠିତ ଓଡ଼ିଆ ଲେଖକମାନଙ୍କ ମାର୍ଗଦର୍ଶକ ହୋଇପାରିଛି ବୋଲି ନବୀନର ୯୪ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ ମହାନ୍ତି ଦୀକ୍ଷାନ୍ତ ଭାଷଣରେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ମହାନ୍ତି କହିଲେ ସଚ୍ଚି ରାଉତରାୟଙ୍କଠାରୁ ଆରମ୍ଭ କରି ରମାକାନ୍ତ ରଥଙ୍କ ପର୍ଯ୍ୟନ୍ତ ବହୁ କବିଙ୍କୁ ନବୀନ ସୃଷ୍ଟି କରି ଓଡ଼ିଆ ସାହିତ୍ୟର ଅଭ୍ୟୁନ୍ନତିରେ ପଥପ୍ରଦର୍ଶକ ହୋଇପାରିଛି । ସେହି ସମୟରେ ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କ୍ଷେତ୍ରରେ ନବୀନ ସମ୍ବାଦପତ୍ର ପ୍ରକାଶନ କରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ସ୍ଥାନୀୟ ନବୀନ ଭବନଠାରେ ବର୍ଷିୟାନ କବି ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ନବୀନର ସମ୍ପାଦକ ରବି ରଥ ସ୍ୱାଗତ ଭାଷଣ ଦେଇ ନବୀନର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିବର୍ଷ ଭଳି ନବୀନର ପ୍ରତିଷ୍ଠାତା ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଶିଷ୍ଟ ସମାଜସେବୀ ତଥା “ଅରୁଣା’ର ପ୍ରତିଷ୍ଠାତା ଲୋକନାଥ ମିଶ୍ର, ସମାଜସେବୀ ତଥା ଆସିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କୁ ମାନପତ୍ର, ଉପଢେ଼øକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ଦୁଇ ପ୍ରତିଭା ଶ୍ରୀ ମିଶ୍ର ଓ ଶ୍ରୀ ମଲ୍ଲିକ ନବୀନର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ସମ୍ବାଦପତ୍ରର ୧୦୦ ବର୍ଷ ପୂର୍ତ୍ତି କରିପାରିବ ବୋଲି ଆଶା ପ୍ରକାଶ କରିଥିଲେ । ବି. ସତ୍ୟମ ଆଚାରୀ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ନବୀନର ବରିଷ୍ଠ ସଦସ୍ୟ ବିଶିଷ୍ଟ ଜଳବାୟୁ ବିଜ୍ଞାନୀ ଡ଼. ଡ଼ମ୍ବରୁଧର ସାହୁ ଓ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଜୟକୃଷ୍ଣ ଗୌଡ଼, କରମ୍ଭା କମାଣ୍ଡୋର ସଭାପତି ରାମକୃଷ୍ଣ ପାତ୍ର, ଅଜିତ ପାତ୍ର, ରଞ୍ଜନ କୁମାର ସାହୁ ପ୍ରମୁଖଙ୍କୁ ଅତିଥିମାନେ ଉପଢେ଼øକନ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ସୁଶାନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ବାଲେଶ୍ୱର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।