ଅମରେଶ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସ୍ମରଣୀକା “ପ୍ରତିଭୂ” ଏବଂ ‘ମୋ-ଡାକ ଟିକଟ’ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଅଧିବକ୍ତା ଅମରେଶ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଅବସରରେ ସ୍ମରଣିକା “ପ୍ରତିଭୂ” ଏବଂ ‘ମୋ-ଡାକ ଟିକଟ’ ଉନ୍ମୋଚିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସ୍ମୃତି ସାମାରୋହରେ ମାନ୍ୟବର ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆନୁଷ୍ଠାନିକ ଉନ୍ମୋଚନ କାର୍ଯ୍ୟକ୍ରମରେ ପତ୍ରିକା ଓ ତାଙ୍କ ଡାକ-ଟିକଟ ଉନ୍ମୋଚନ କରି ଅମରେଶ ବାବୁଙ୍କ ପିଲାବେଳର ବନ୍ଧୁ, ତାଙ୍କ ଆଦର୍ଶତା ଉପରେ ପ୍ରତିପାଦନ କରି ତାଙ୍କ ପରିବାରବର୍ଗଙ୍କୁ ସାଧୁବାଦ ଜଣାଇଥିଲେ । ବିଶିଷ୍ଟ ଅତିଥି ହକି ତାରକା ଦିଲୀପ ତିର୍କୀ, ରାଜ୍ୟ କୃଷି ବିପଣନ ପରିଷଦର ସଦସ୍ୟ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଏନ୍.ନାରାୟଣ ରେଡ୍ଡୀ, ଛତ୍ରପୁର ବାର ସଭାପତି ପ୍ରଦୀପ କୁମାର ପାଢୀ, ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀ, ସାହିତ୍ୟିକ ବ୍ରଜମୋହନ ଆଚାର୍ଯ୍ୟ, ଡ଼ଃ.ରାଜେନ୍ଦ୍ର ଦାଶ୍ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱର୍ଗତ ଅମରେଶ ମିଶ୍ରଙ୍କର ଉତ୍ତମଗୁଣ ଆଚରଣ ଉପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମରେଶ ବାବୁଙ୍କ ଉପରେ ଆଧାରୀତ ବହୁ କବି କବିତା ଆବୃତ୍ତି କରିଥିଲେ । ଅମରେଶ ମିଶ୍ରଙ୍କ ସ୍ମୃତିରକ୍ଷା ନିମନ୍ତେ ସହରରେ ଯେକୌଣସି ସ୍ଥାନରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମତପ୍ରକାଶ ପାଇଛି । ଅମରେଶ ବାବୁ ଜଣେ ଓଡ଼ିଆପ୍ରାଣର ସ୍ୱାଭିମାନର ବ୍ୟକ୍ତିତ୍ୱ ବୋଲି ଡ଼ଃ.ଭି.ରାଜେନ୍ଦ୍ର ରାଜୁ, ବରେଣ୍ୟ କବି ପ୍ରଶାନ୍ତ ଶତପଥୀ, ବ୍ରହ୍ମପୁରରୁ ଆସିଥିବା ବହୁ କବି ଓ ସାହିତ୍ୟିକ ଗଣ ମତପ୍ରକାଶ କରିଥିଲେ । ବିଘ୍ନେଶ୍ୱର ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.

error: Content is protected !!