
ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ନିଖିଳ ଓଡିଶା ଲେଡି ମାଟ୍ରୋନ୍ ମହାସଂଘ, ସୁନ୍ଦରଗଡ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ବୁଧବାର ଲହୁଣୀପଡା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ଝରଣା ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ନାଗିଆ ଓରାମ ପ୍ରମୁଖ ଯୋଗଦେଇ ମାଟ୍ରୋନମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହିତ ସେମାନଙ୍କ ୧୦ ଦଫା ଦାବୀ ଉପରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ । ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ଲେଡି ମାଟ୍ରୋନମାନଙ୍କ ୧୦ ଦଫା ଦାବୀ ପୂରଣ ନେଇ ଗତ ୨୦୨୨ ଡିସେମ୍ବର ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଓ ୨୦୨୩ ଏପ୍ରିଲ ୨୮ରେ ଭୁବନେଶ୍ଵର ପିଏମ୍ଜିଠାରେ ଲେଡି ମାଟ୍ରୋନମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାପରେ ଓଡିଶା ସରକାରୀ କର୍ମଚାରୀ ସମନ୍ୱୟ ସମିତି ରାଜ୍ୟ ସଭାପତି ପ୍ରଶାନ୍ତ ମହାନ୍ତି, ସମ୍ପାଦକ ସୁଜିତ କୁମାର ନାୟକ, ଉପସଭାପତି ଝରଣା ମହାନ୍ତ ଏବଂ ମାଟ୍ରୋନ ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ଡାକରାରେ ସେକ୍ରେଟାରିଏଟ୍କୁ ଯାଇ ଅତିରିକ୍ତ ସଚିବଙ୍କ ସହିତ ୧୦ ଦଫା ଦାବୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଭକ୍ତ ଦାବୀ ଗୁଡିକ ପୂରଣ ପାଇଁ ପ୍ରତିଶୃତି ଦିଆଯାଇଥିଲା । ହେଲେ ଅଦ୍ୟବଧି ମାତ୍ର ଗୋଟିଏ ଦାବୀ ପୂରଣ ହୋଇଥିବା ବେଳେ ଅନ୍ୟ ଦାବୀ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଲେଡି ମାଟ୍ରୋନ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଆଗାମୀ ଜୁନ ପ୍ରଥମ ସପ୍ତାହରେ ଲେଡି ମାଟ୍ରୋନ ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପରି ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଲେଡି ମାଟ୍ରୋନମାନେ ଉପସ୍ଥିତ ରହିଥିଲେ ।