୫ଟି ଯୋଜନାରେ ନିର୍ମିତ ‘ଆମ ହସ୍ପିଟାଲ୍‌’କୁ ପରିଦର୍ଶନ କଲେ ଉପଜିଲ୍ଲାପାଳ ଓ ଭାରପ୍ରାପ୍ତ ସିଡିଏମ୍‌ଓ

  • ଇନଚାର୍ଜ ଡାକ୍ତରଙ୍କ ଦାୟିତ୍ୱହୀନତାକୁ ନେଇ ବିରକ୍ତି ପ୍ରକାଶ କଲେ ଉପଜିଲ୍ଲାପାଳ
  • ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ମୃତ ଶିଶୁଙ୍କ ବାପା

କଂଟାବାଂଜି, (ଗୁରୁଦୟାଲ ହଂସ) : ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଗତକାଲି କଂଟାବାଂଜି ଡାକ୍ତରଖାନାକୁ ଆସି ୫ଟି ଯୋଜନାରେ ନିର୍ମିତ ହେଉଥିବା ‘ଆମ ହସ୍ପିଟାଲ୍‌’କୁ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ । ତାଙ୍କ ପରିଦର୍ଶନ ବେଳେ ‘ଆମ ହସ୍ପିଟାଲ୍‌’ର ବିଭିନ୍ନ କାର୍ଯ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ‘ଆମ ହସ୍ପିଟାଲ୍‌’ର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିବା ବେଳେ ରୋଗୀଙ୍କ ପାଇଁ ଥିବା କେବିନ ଗୃହରେ ଡାକ୍ତରଖାନାର କର୍ମଚାରୀମାନେ ରହୁଥିବା ଦେଖି ତୁରନ୍ତ ଏମାନଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ହସ୍ପିଟାଲ୍‌ ଭିତରେ ଅପରିଷ୍କାର ସହ ବୁଲା କୁକୁର ଶୋଇଥିବା ଦେଖି ଇନଚାର୍ଜ ଡାକ୍ତର ଏସ୍‌ପିଡି ପଣ୍ଡାଙ୍କ ଦାୟିତ୍ୱହୀନତା ଉପରେ ବିରକ୍ତି ପ୍ରକାଶ କରିଥିଲେ । ପୁଣି ଅଂଶୁଘାତ ପ୍ରକୋଷ୍ଠ ନଥିବା ନେଇ ଅଭିଯୋଗ ହେବା ପରେ ଅସ୍ଥାୟୀ ଅଂଶୁଘାତ ପ୍ରକୋଷ୍ଠ ଦେଖି ନୂତନ ଭାବରେ ତିଆରି ହେଉଥିବା ପ୍ରକୋଷ୍ଠକୁ ଅତି ଜରୁରୀକାଳୀନ ଓ ଅନ୍ୟାନ୍ୟ ୱାର୍ଡର କାର୍ଯ୍ୟ ମଧ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ କରିଥିଲେ । ପରେ ଏକ ସଭା ଗୃହରେ ଏକ ବୈଠକ ବସିଥିବା ବେଳେ ଗୃହ ବିଭାଜନ ବିଭାଗ ଅଧିକାରୀ ଅର୍ଜୁନ ବେହେରା, ଏନ.ଏ.ସି.କାର୍ଯ୍ୟନିର୍ବାହୀ ଅଧିକାରୀ ନିରଂଜନ ଧଳ, ଆଇଆଇସି ରଶ୍ମିତା ବେହେରା, ତହସିଲଦାର ଅମୃତଲାଲ ବେହେରା ସହ ଅନ୍ୟାନ୍ୟ ବିଭାଗର ଜେଇ ବୈଠକରେ ଯୋଗ ଦେଇ ହସ୍ପିଟାଲ୍‌ର ଉନ୍ନୟନ କାର୍ଯ୍ୟକୁ ନେଇ ଆଲୋଚନା କରିଥିଲେ । ଏହି ବୈଠକ ବସିଥିବା ସମୟରେ ଧାମନଡଙ୍ଗା ନବଜାତ ଶିଶୁ ମୃତ୍ୟୁକୁ ନେଇ ବାପା ମଦନ ମାଝି ସଭାସ୍ଥଳରେ ପହଂଚି କାନ୍ଦି କାନ୍ଦି ସେହି ଦିନ ଘଟିଥିବା ଘଟଣା ଏବଂ ଡାକ୍ତର ଦିଲିପ ସାହୁଙ୍କ କର୍ତ୍ତବ୍ୟରେ ଅବହେଳାକୁ ନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଶୁଣି ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଅନ୍ୟ ପକ୍ଷରେ ବଲାଙ୍ଗିର ଭାରାପ୍ରାପ୍ତ ସିଡିଏମ୍‌ଓ କୁବେର ମହନ୍ତ ମଧ୍ୟ ୫ଟିରେ ଚାଲୁଥିବା ‘ଆମ ହସ୍ପିଟାଲ୍‌’ କାର୍ଯ୍ୟକୁ ତଦାରଖ କରିଥିଲେ ।

jittmm
Leave A Reply

Your email address will not be published.