- ଦୀର୍ଘ ୧୦ ଘଣ୍ଟାର ସର୍ଚ୍ଚ-ଅପରେସନ ପରେ ମିଳିଛି ସ୍ୱପ୍ନାରାଣୀଙ୍କ ଶବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୬ କି.ମି. ଦୂର ଗୋପାଳପୁର ବନ୍ଦର ସମୁଦ୍ର କୂଳ ଆର୍ଯ୍ୟପଲ୍ଲୀ ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଆସିଥିବା ଦୁଇଜଣ ଛାତ୍ରୀ ସମୁଦ୍ରକୁ ସକାଳେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ଗଭୀର ସମୁଦ୍ରରେ ବୁଡି ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସ୍ୱପ୍ନାରାଣୀ ପଣ୍ଡିତ (୨୦) ପିତା -ପ୍ରେମାନନ୍ଦ ପଣ୍ଡିତ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଧୀନସ୍ଥ କନିଷି ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କ ଶବ ସକାଳୁ ସମୁଦ୍ରରୁ ଉଦ୍ଧାର କରାଯାଇ ମୃତକ ସ୍ୱପ୍ନାରାଣୀଙ୍କୁ ଛତ୍ରପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ଅନ୍ୟଜଣଙ୍କ ଶବ ମହା ସମୁଦ୍ରରେ ନିଖୋଜ ଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଅନ୍ୟଜଣଙ୍କ ଶବ ମିଳିଥିଲା । ସେ ହେଉଛନ୍ତି, ପ୍ରଜ୍ଞାରାଣୀ ତ୍ରିପାଠୀ, ପିତା- ପବିତ୍ର ତ୍ରିପାଠୀ ଶେରଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ପ୍ରଜ୍ଞାରାଣୀଙ୍କ ଶବ ପାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମାଧ୍ୟମରେ ପ୍ରୟାସ ଜାରି କରାଯାଇଥିଲା । ଭାରତୀୟ ତଟରକ୍ଷା ବାହିନୀ ପକ୍ଷରୁ ଏକ ଏୟାରଟ୍ରାକ ବିମାନ ଦ୍ୱାରା ଅନୁସନ୍ଧାନ କରି ଖୋଜାଖୋଜି କରାଯାଇଥିଲା । ଅନ୍ୟପକ୍ଷେ ଓଡ୍ରାଫ୍ଟ ଟିମ୍, ଓଡ଼ିଶା ଫାୟାର ସେବାଦଳ, ସାମୁଦ୍ରିକ ତଟବାହିନୀ ସମସ୍ତଙ୍କର ମିଳିତ ପ୍ରୟାସରେ ପ୍ରାୟ ୧୦ଘଣ୍ଟାର ଅପରେସନ ପରେ ଏକ କୂଳରେ ପଥର ସନ୍ଧିରେ ଶବଟିକୁ ଲାଗିଥିବାର ଦେଖାଯାଇଥିଲା । ପ୍ରଜ୍ଞାରାଣୀଙ୍କ ମୃତଦେହ ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଆଣି ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଥାଉକି, ସାନ-ଆର୍ଯ୍ୟପଲ୍ଲୀ ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ସେମାନେ ତାଙ୍କ ମାମୁଁ ଘରକୁ କୁଣିଆ ହୋଇ ଆସି ଗତକାଲି ଖୁସି ଭରି ଆନନ୍ଦରେ ଦିନ କଟାଇଥିଲେ । ଆଜି ସକାଳୁ ସମୁଦ୍ରକୁ ଗାଧୋଇବାକୁ ଯାଇ ଏହି ଅଘଟଣ ହୋଇଥିବା କୁହାଯାଇଛି ।