oom

୧୨୧ ୟୁନିଟ ରକ୍ତ ସଂଗ୍ରହ କରି ଚର୍ଚ୍ଚାରେ ଛତ୍ରପୁର ପ୍ରେସ୍‌ କ୍ଲବ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବି ଗତକାଲି ରକ୍ତଦାନ ଶିବିରର ଆୟୋଜନ କରି ୧୨୧ ୟୁନିଟ ରକ୍ତ ସଂଗ୍ରହ କରି ଛତ୍ରପୁର ପ୍ରେସ୍‌ କ୍ଲବ ବିଭିନ୍ନ ମହଲରେ ପ୍ରଶଂସନୀୟ ହୋଇଛି । ନୂତନ କୋଠାର ଉଦ୍‌ଘାଟନ ପରେ ଛତ୍ରପୁର ପ୍ରେସ୍‌ କ୍ଲବ ପ୍ରଥମ ଥର ପାଇଁ ଏକ ମେଗା ରକ୍ତଦାନ ଆୟୋଜନ କରିଛନ୍ତି । ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସାମୁହିକ ଭାବେ ସଂଗଠିତ କରିଥିବା ଏହି ମେଗା ରକ୍ତଦାନ ଶିବିର ଛତ୍ରପୁର ଇତିହାସରେ ଏକ ନୂତନ ରେକର୍ଡ କରି ଗୌରବ ବହନ କରିଛି । ଏହାକୁ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଦପ୍ତରାଞ୍ଚଳ ତଥା ପ୍ରଶାସନିକ ସ୍ତରରେ ଭୂୟସୀ ପ୍ରଶଂସା ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ ଏସପି ଜଗମୋହନ ମୀନା ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ପରିଦର୍ଶନରେ ଆସି ଛତ୍ରପୁରର ପ୍ରେସ୍‌ କ୍ଲବର ସମସ୍ତ ସଦସ୍ୟ ତଥା ସାମ୍ବାଦିକଙ୍କୁ ଭୂରି ଭୂରି ପ୍ରଶଂସା କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସାଂଗକୁ ଶୃଙ୍ଖଳିତ ଭାବେ ଏହି ମେଗା ଶିବିରକୁ ପରିଚାଳନା କରି ସଫଳତା ଆଣିଥିବା ହେତୁ ଛତ୍ରପୁର ପ୍ରେସ୍‌ କ୍ଲବ ପରିବାରକୁ ସାଧୁବାଦ ଜଣାଇଛନ୍ତି ।

ଚଳିତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତଦାନ ପାଇଁ କେହି ଆଗକୁ ଆସୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ପ୍ରେସ୍‌ କ୍ଲବ ପକ୍ଷରୁ ରୋଗୀମାନଙ୍କ ହିତ ନିମନ୍ତେ ଦୁଇ ପାଦ ଆଗକୁ ଆସି ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଯାହାକି ବ୍ରହ୍ମପୁର ବଡମେଡିକାଲର ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ରକ୍ତର ଅଭାବ ଦୂର କରିବା ପାଇଁ ଛତ୍ରପୁର ପ୍ରେସ୍‌ କ୍ଲବ ପରିସରରେ ଆୟୋଜିତ ଏହି ଶିବିରରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବ୍ରହ୍ମପୁର ବଡମେଡିକାଲର ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଛତ୍ରପୁର ସଦର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଏନଏସିର ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଗଞ୍ଜାମ ଜିଲ୍ଲାର ସୋରଡା ନିକଟସ୍ଥ ବରଗଡ ଅଞ୍ଚଳର ଦାସକାଠିଆ ଲୋକନୃତ୍ୟ କଳାକାର ଦେବେନ୍ଦ୍ର ନାଥ ଦାଶ ଓ ସାଥୀ ବୃନ୍ଦାବନ ଗୌଡ ରକ୍ତଦାନର ମହତ୍ତ୍ୱ ଉପରେ ଆଧାରିତ କରି ଦାସକାଠିଆ ପରିବେଷଣ କରିଥିଲେ । ସେଲଫି ପଏଣ୍ଟର ବ୍ୟବସ୍ଥାପନାରେ ସେଠି ଫୋଟୋ ପୋଜ୍ ନେଇ ମାନପତ୍ର ପ୍ରଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରାଯାଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର ମେଡିକାଲ ଅଫିସର ଡ଼ା. ଚିନ୍ମୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଚିନ୍ମୟ କୁମାର ବେହେରା, ଚନ୍ଦ୍ର ଶେଖର ଗୌଡ, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା, ବସନ୍ତ ବେହେରା ପ୍ରମୁଖ କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇ ଏହି ଶିବିରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.