csstore

ଏଣିକି ପାୟଲ ମୁହଁରେ ନୁହେଁ, ହାତରେ ଆଙ୍କିବେ ଚିତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଣିକି ପାୟଲ ମୁହଁରେ ନୁହେଁ ହାତରେ ଆଙ୍କିବେ ଚିତ୍ର, କାହାକୁ ଆଶ୍ରା ନକରି ନିଜେ ଚାଲିବେ, ନିଜ ହାତରେ ଚାମଚ ଧରି ଖାଦ୍ୟ ଖାଇବେ । ସ୍ୱାଭାବିକ ଜୀବନ ବଂଚିବାକୁ ସକ୍ଷମ ହେବେ ପାୟଲ । ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନର ଅନ୍ତେବାସୀ ହେଉଛନ୍ତି ପାୟଲ ନାଗ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଜମୁନାବାହାଲ ଗାଁର ପାୟଲଙ୍କ ବାପା ବିଜୟ କୁମାର ନାଗ ନିଜ ପତ୍ନୀ ଓ ପିଲା ଛୁଆଙ୍କୁ ନେଇ ଦଶ ବର୍ଷ ତଳେ ସୂଦର ରାୟପୁରକୁ ଇଟାଗଢିବା କାମରେ ଦାଦନ ଶ୍ରମିକ ଭାବରେ ଯାଇଥିଲେ । ସେଠାରେ କାମ କରୁଥିବା ବେଳେ ପାୟଲ କୌଣସି ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତ ଓ ଗୋଡ ହରାଇଥିଲେ । ଏହି ଘଟଣା ସଂପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ତତ୍‌କାଳୀନ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସହାୟତା କ୍ରମେ ପାୟଲଙ୍କ କଟା ଗୋଡରେ କୃତ୍ରିମ ଗୋଡ ଲଗାଯାଇପାରିଲା । କିନ୍ତୁ ଶ୍ରମିକ ପରିବାରରେ ଜନ୍ମିତ ପାୟଲଙ୍କ ଦେଖାଶୁଣା ଠିକ୍‌ ଭାବରେ ହୋଇ ପାରିନଥିବା ଜିଲ୍ଲା ପ୍ରଶାସନ ଅନୁଭବ କରି ପାୟଲଙ୍କ ପରିବାରର ସମ୍ମତି କ୍ରମେ ପଥରଚେପା ବାଳ ନିକେତନରେ ପାୟଲଙ୍କୁ ଥଇଥାନ କରାଯାଇଥିଲା ।

ଏଠାରେ ରହି ପାୟଲ ପାଠ ପଢୁଛନ୍ତି । ମୁହଁରେ ତୁଳି ଧରି ଖୁବ୍‌ ସୁନ୍ଦର ଚିତ୍ର ଆଙ୍କନ୍ତି ପାୟଲ । ତେବେ ଗତ ବର୍ଷ ଅକ୍ଟୋବର ମାସରେ ସୁରଭି କାର୍ଯ୍ୟକ୍ରମରେ ଚିତ୍ର ଆଙ୍କି ପ୍ରଥମ ହୋଇଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ପାୟଲ । ଏହା ପରେ ବଲାଙ୍ଗିର ଜିଲ୍ଲାର ପ୍ରଶାସନିକ ଅଧିକାରୀ, ରାଜନେତା ତଥା ସମାମଜିକ କର୍ମୀ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଗତ ଏପ୍ରିଲ ମାସ ୧୮ ତାରିଖ ଦିନ ବଲାଙ୍ଗିର ଗସ୍ତରେ ଆସି ପାର୍ବତୀଗିରି ବାଳ ନିକେତନକୁ ଯାଇଥିବା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ପାୟଲ ନିଜ ମୁହଁରେ ତୁଳି ଧରି ଆଙ୍କିଥିବା ତାଙ୍କ ଚିତ୍ର ତାଙ୍କୁ ଉପହାର ଦେଇଥିଲେ ଏବଂ ଶ୍ରୀମତୀ ଗର୍ଗଙ୍କ ଅଶେଷ ପ୍ରଶଂସା ଭାଜନ ହୋଇଥିଲେ । ତେବେ ରାଜ୍ୟ ସରକାରଙ୍କ ଆଗ୍ରହ କ୍ରମେ ପାୟଲଙ୍କ କୃତ୍ରିମ ହାତ ଲାଗୁଛି । ଏଣିକି ହାତରେ ତୁଳି ଧରିବେ ପାୟଲ । ଆଙ୍କିବେ ସୁନ୍ଦର ସୁନ୍ଦର ଚିତ୍ର । ସ୍ୱାଭାବିକ ଜୀବନ ବଂଚିବେ ପାୟଲ ।

jayashree
Leave A Reply

Your email address will not be published.