centurian jitm

ଲୋୟର ସୁକତେଲ ବିସ୍ଥାପିତଙ୍କ ଅଭିଯୋଗ ଶୁଣିଲେ ନରସିଂହ

nschool
  • ବିସ୍ଥାପିତଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନ ହେବା ଉପରେ ଦେଲେ ଗୁରୁତ୍ୱ
  • ପୁର୍ନବାସ କଲୋନୀରେ ଶିକ୍ଷା, ବିଜୁଳି, ପାନୀୟ ଜଳ ଶୀଘ୍ର ସୁନିଶ୍ଚିତ କରୁ ପ୍ରଶାସନ : ନରସିଂହ

ବଲାଙ୍ଗିର, (ନିପ୍ର) : ଲୋୟର ସୁକତେଲ ବିସ୍ଥାପିତଙ୍କ ଅଭିଯୋଗ ଶୁଣିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ କହିଛନ୍ତି ଯେ, କୌଣସି ଅଞ୍ଚଳରୁ ଲୋକେ ବିସ୍ଥାପିତ ହେବା ବେଳେ ସେମାନଙ୍କ ସମ୍ମୁଖରେ ଅନେକ ସମସ୍ୟା ଥାଏ । ପ୍ରଶାସନ ସେ ସବୁକୁ ନରମ ଚକ୍ଷୁରେ ଦେଖିବା ଦରକାର । ଆଜି ଲୋକଙ୍କ ଅନୁରୋଧ ମୁତାବକ ଗଡଶଙ୍କର ଡୁଙ୍ଗୁରିପାଲିରେ ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା ପରେ ଜାଣିଲେ ଯେ, ସେମାନଙ୍କ ପୁର୍ନବାସ ପାଇଁ ଯାହା କିଛି ବି ଦରକାର ସେ ସବୁରେ ନିଶ୍ଚିତ ଭାବରେ କମି ରହିଯାଇଛି । ଲୋକଙ୍କ ସମସ୍ୟା ଶୁଣିବା ସହ ତାଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛି । କିଛି ଦିନ ଭିତରେ ଜିଲ୍ଲା ପ୍ରଶାସନ ସହ ଏ ଉପରେ ଆଲୋଚନା ହେବ । ଆଇନ ସମ୍ମତ ଦାବୀ ନିଶ୍ଚିତ ଭାବରେ ପୁରଣ କରାଯିବ, ଯଦି କିଛି ଦାବୀ ଆଇନର ପରିଧି ଭିତରେ ଆସିପାରୁନାହିଁ ବିସ୍ଥାପିତଙ୍କ ଦୁଃଖକୁ ଅନୁଭବ କରି ଆଇନରେ କିଛି ପରିବର୍ତ୍ତନ କରାଯାଇପାରେ ତାହା ମଧ୍ୟ କରିବା ପାଇଁ ସେ ନିଶ୍ଚିତ ଭାବରେ ଚେଷ୍ଟା କରିବେ ଏବଂ ଏ ଅଂଚଳରୁ ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତମାନେ ଯେପରି ଖୁସି ମନରେ ବିସ୍ଥାପିତ ହେବେ ସେ ଉପରେ ସେ ନିଶ୍ଚିତ ଭାବରେ ଉଦ୍ୟମ କରିବେ ବୋଲି ଆଜି ଗଡଶଙ୍କର ଡୁଙ୍ଗୁରିପାଲି ଏବଂ ପରଧିଆପାଲି ଗସ୍ତ କରି ସେଠାରେ ଲୋକଙ୍କ ସହ ଆଲୋଚନା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଏସ୍‌ଡିପିଓ ତୁଫାନ ବାଗଙ୍କ ଉପସ୍ଥିତିରେ ହୋଇଥିବା ଏହି ଅଭିଯୋଗ ଶୁଣାଣିରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ଲୋକଙ୍କ ଯାହା କିଛି ବି ଅଭିଯୋଗ ଅଛି ସେମାନେ ତାଙ୍କୁ ଲିଖିତ ଭାବରେ ପ୍ରଦାନ କରନ୍ତୁ ତା ଉପରେ ସେ ନିଶ୍ଚିତ ଭାବରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଲୋକଙ୍କ ସମସ୍ୟା ଯେପରି ଦୂର ହୋଇପାରିବ ସେ ଉପରେ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ । ଆଲୋଚନା ସମୟରେ ଲୋକଙ୍କ ଅଭିଯୋଗ ଶୁଣିସାରିବା ପରେ ବିଧାୟକ ଶ୍ରୀ ମିଶ୍ର ବିସ୍ଥାପିତମାନେ ବିସ୍ଥାପନ ପରେ ନୂତନ ଜାଗାରେ ଯେପରି ଶିକ୍ଷା, ପିଇବା ପାଣି ଏବଂ ବିଜୁଳି ଠିକ୍‌ ହିସାବରେ ପାଇ ପାରିବେ ସେ ଉପରେ ସୁନିଶ୍ଚିତ କରନ୍ତୁ ବୋଲି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ପାଣିରେ ଯେହେତୁ ଏ ଅଂଚଳର ସ୍କୁଲ କୋଠା ପାଣି ଘେରରେ ରହିଯିବ, ବିସ୍ଥାପିତ ଛୁଆମାନଙ୍କୁ କେଉଁ ସ୍କୁଲମାନଙ୍କରେ ନାମ ଲେଖାଯିବ, ସେଠାରେ ପର୍ଯ୍ୟାପ୍ତ କୋଠା ଅଛି ନା ନାହିଁ, ଶିକ୍ଷକ କର୍ମଚାରୀ ଅଛନ୍ତି ନା ନାହାନ୍ତି, ପିଇବା ପାଣି ବିଜୁଳି ସୁବିଧା ପ୍ରଶାସନ ତରଫରୁ କରାଯାଇଛି ନା ନାହିଁ ସେ ଉପରେ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ତା’ ସହ ଆଗାମୀ ବୈଠକରେ ଏହା ଉପରେ କଣ କାର୍ଯ୍ୟକ୍ରମ ନିଆଯାଇଛି ତାର ଠିକ୍‌ ବିବରଣୀ ରଖିବାକୁ ଅଧିକାରୀମାନଙ୍କୁ କହିଥିଲେ । ଆହୁରି ମଧ୍ୟ ପ୍ରକଳ୍ପ ପାଣିରେ କିଛି ପଂଚାୟତ ସମ୍ପୂର୍ଣ୍ଣ ଭାବରେ ବୁଡି ଯାଉଥିବାରୁ ସେ ଗାଁ ପଂଚାୟତ ଗୁଡିକ କେଉଁ ଗାଁ ପଂଚାୟତରେ ମିଶ୍ରଣ ହେବ, ବୁଡି ଯାଉଥିବା ଗାଁ ର ସରପଞ୍ଚ କେଉଁ ଜାଗାର ସରପଞ୍ଚ ଭାବେ କାର୍ଯ୍ୟ କରିବେ ସେ ଉପରେ ମଧ୍ୟ ସଠିକ୍‌ ତଥ୍ୟ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଅଭିଯୋଗ ଶୁଣାଣି ସମୟରେ ଅନେକ ମହିଳା ଏବଂ ଯୁବକ ଯୁବତୀ ତଥା ବୃଦ୍ଧମାନେ ତାଙ୍କ ଅଭିଯୋଗ ଲିଖିତ ଭାବରେ ବିଧାୟକଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଦେଖାଯାଇଥିଲା ୧୮ ବୟସ ପୁରି ଯାଇଥିବା ଯୁବକ ଯୁବତୀ କ୍ଷତିପୁରଣ ପାଇବାରୁ ବଂଚିତ ହୋଇଛନ୍ତି, ଅନେକ ପରିବାରର ଜମିରେ ଥିବା ଗଛ ଗୁଡିକ କ୍ଷତିପୁରଣ ଆଜି ବି ଲୋକେ ପାଇନାହାନ୍ତି ତେଣୁ ଶ୍ରୀ ମିଶ୍ରଙ୍କୁ ଶୀଘ୍ର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ । ଯେହେତୁ ସରକାର କହୁଛି ଆଗାମୀ ବର୍ଷା ଋତୁରେ ପ୍ରକଳ୍ପରେ ପାଣି ରଖାଯିବ ତେଣୁ ତା’ ପୂର୍ବରୁ ସମସ୍ତ ଅଭିଯୋଗର ଠିକ୍‌ ଠିକ୍‌ ସମାଧାନ ନିହାତି ଦରକାର ବୋଲି ମଧ୍ୟ ଲୋକେ ଦାବୀ କରିଥିଲେ । ପରେ ବିଧାୟକ ଶ୍ରୀ ମିଶ୍ର ପରଧିଆପାଲି ଗାଁକୁ ଯାଇ ସେଠାରୁ ଗାଁ ଛାଡି ନ ଥିବା କିଛି ପରିବାର ଲୋକଙ୍କ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଜ୍ଞାନ ଗଡତ୍ୟା ପରିବାର ଏବଂ ସେଠାରେ ଥିବା ବିଶ୍ୱାଲ ପରିବାରର ବିଭିନ୍ନ ଅଭିଯୋଗ ଶୁଣିଲା ପରେ ସେମାନଙ୍କର ଅଭିଯୋଗକୁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଆଗାମୀ ବୈଠକରେ କିଭଳି ସମାଧାନ ହୋଇପାରିବ ସେ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ଏହି ଗାଁଟି ପ୍ରକଳ୍ପର ପାଣି ଭିତରେ ରହିଯିବ ତେଣୁ ଯେତେ ଶୀଘ୍ର ହେବ ପ୍ରଶାସନ ସହ ଆଲୋଚନା କରି ଏହି ପରିବାରମାନଙ୍କ ସମସ୍ୟା ସମାଧାନ ନିଶ୍ଚିତ ଭାବରେ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ସେ ପରିବାରମାନଙ୍କୁ ଆଶ୍ୱସନା ଦେଇଥିଲେ । ଆଜିର ଏହି ଗସ୍ତ ସମୟରେ ପରଧିଆପାଲି ଓ ଗଡଶଙ୍କର ଡୁଙ୍ଗୁରିପାଲିର ବିସ୍ଥାପିତଙ୍କ ସହ ଏ ବୁଡି ଅଂଚଳର ସରପଞ୍ଚ ତଥା ଅନ୍ୟାନ୍ୟ ଜନପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.