jayashree

ଓସିଏ ପକ୍ଷରୁ ସ୍ପିନର ଟେଲେଣ୍ଟ ହଣ୍ଟ – ୨୦୨୩

  • ଯୋଗଦେଲେ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦୀନେଶ ମୋଙ୍ଗିଆ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓସିଏ ତଥା ବଲାଙ୍ଗିର ଖେଳ ସଂସଦ ପକ୍ଷରୁ ସ୍ପିନରମାନଙ୍କ ପାଇଁ ଟେଲେଣ୍ଟ ହଣ୍ଟ – ୨୦୨୩ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର ସମେତ ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆଁପଡା ଓ ବରଗଡ ଆଦି ୬ ଗୋଟି ଜିଲ୍ଲାରୁ ପାଖାପାଖି ୬୦ ଜଣ ଖେଳାଳି ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମ ପାଇଁ ଓସିଏ କାର୍ଯ୍ୟକର୍ତ୍ତାଗଣ ପୂର୍ବ ଦିନରୁ ବଲାଙ୍ଗିର ଆସି ପହଞ୍ଚିଥିବା ବେଳେ ଆଜି ପୂର୍ବ ସୂଚନା ଅନୁସାରେ ସମସ୍ତ ଓସିଏ କାର୍ଯ୍ୟକର୍ତ୍ତା ସକାଳ ୯ଟାରେ ଷ୍ଟାଡିୟମକୁ ପହଞ୍ଚିଥିଲେ । ବଲାଙ୍ଗିର ଖେଳ ସଂସଦର କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ ଓସିଏ କାର୍ଯ୍ୟକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ଆଣିଥିଲେ । ଓସିଏ କାର୍ଯ୍ୟକର୍ତ୍ତା ଗଣ ଓ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଦୀନେଶ ମୋଙ୍ଗିଆ ସମସ୍ତ ପ୍ରତିଯୋଗୀଙ୍କ ସହ ପରିଚୟ ଆଦାନ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ପ୍ରତିଯୋଗୀଙ୍କୁ ବୁଝାଇଥିଲେ । ଖେଳାଳିମାନେ ଦୀନେଶ ମୋଙ୍ଗିଆ ତଥା ପ୍ରଭଞ୍ଜନ ମଲ୍ଲିକ ଭଳି ନାମୀ ଖେଳାଳିଙ୍କୁ ଦେଖି ବେଶ ଉତ୍ସାହିତ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଓସିଏ କାର୍ଯ୍ୟକର୍ତ୍ତା ତଥା ସିନିଅର ପୁରୁଷ ସିଲେକ୍ସନ କମିଟି ଅଧ୍ୟକ୍ଷ ଅମୀୟ ରାଏ, ଜୁନିଅର ସିଲେକ୍ସନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ, ସିନିଅର ସିଲେକ୍ସନ କମିଟି ମେମ୍ବର ସୁବିତ ବିଶ୍ୱାଲ, ଜୁୁନିଅର ସିଲେକ୍ସନ କମିଟି ମେମ୍ବର ଶୁଭ୍ରଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କ ମାନ ନିର୍ଧାରଣ କରିବା ସହିତ ଉଦ୍ଦିଷ୍ଟ ଉପଦେଶ ଦେଇଥିଲେ । ସେହିପରି ଜିଲ୍ଲା ଖେଳ ସଂସଦ ପକ୍ଷରୁ ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ଡା. ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ହରୀନାରାୟଣ ପୁଜାରୀ, ସହ ସଂପାଦକ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, କ୍ରିକେଟ ସଂପାଦକ ଓମ ପ୍ରକାଶ ଚାନ୍ଦ, କାଉନସିଲ ସଦସ୍ୟ ରାଜେନ୍ଦ୍ର ପୁରୋହିତ ଓ ସୁଧିର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ କୋଚ ଅରୁଣ କୁମାର ନାଏକ ସଂଯୋଜନା କରିଥିଲେ ।

Leave A Reply

Your email address will not be published.