କେନ୍ଦୁପତ୍ର ଶ୍ରମିକଙ୍କ ପ୍ରତି ଅବିଚାର : କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ ଡାକରା, କଳା ବ୍ୟାଚ ପିନ୍ଧି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅନ୍ଦୋଳନରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କୁ ଅନେକ ପ୍ରତିଶୃତି ଦେଇଥିବା ସତ୍ୱେ ଆଜି ଯାଏଁ ଗୋଟିଏ ମଧ୍ୟ ପ୍ରତିଶୃତି ରାଜ୍ୟ ସରକାର ପୂରଣ କରି ନଥିବାରୁ ସାରା ରାଜ୍ୟରେ ଆଜି ବିଶ୍ଵ ଶ୍ରମିକ ଦିବସରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନରେ ରାଜ୍ୟର ୧୮ଟି କେନ୍ଦୁପତ୍ର ଡିଭିଜନରେ ଏହି ଆନ୍ଦୋଳନ କରାଯାଇଛି । ଆଜି ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଇକମାଲ କେନ୍ଦୁପତ୍ର ରେଞ୍ଜରେ ଶତାଧିକ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ, ସିଜି ୱାଚରମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କରିଛନ୍ତି । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ କଳା ବ୍ୟାଚ ପିନ୍ଧି କେନ୍ଦୁପତ୍ର ଶ୍ରମିକଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ । ଓଡ଼ିଶା ସରକାରଙ୍କଠାରେ ଆଜି ଆନ୍ଦୋଳନ ଜରିଆରେ କେନ୍ଦୁପତ୍ର ଶ୍ରମିକଙ୍କ ବିଭିନ୍ନ ଦାବୀ ଉପସ୍ଥାପନ କରାଯାଇଛି । ଦାବୀ ଗୁଡିକ ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀମାନଙ୍କୁ ଅତିଶୀଘ୍ର ୨୦୨୨ ବୋନସ୍‌ ପ୍ରଦାନ କରାଯାଉ, କେନ୍ଦୁପତ୍ର ତୋଳାଳୀଙ୍କ ପତ୍ର ଖରିଦି ଦର ବୃଦ୍ଧି କରିବା, ସିଜିନାଲ କର୍ମଚାରୀମାନଙ୍କ ଦରମା ଓ ଗସ୍ତ ବାବଦକୁ ଖର୍ଚ୍ଚ କରିବା, ସିଜିନାଲ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀମାନଙ୍କ ପୁଅ ଓ ଝିଅଙ୍କ ସକାଶେ ଶିକ୍ଷା ସହାୟତା ଓ କନ୍ୟା ବିବାହ ସହାୟତା ଦେବା ଦାବୀ ଉପସ୍ଥାପିତ କରାଯାଇଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରି ଆସୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ସମିହା ରେଢାଖୋଲ ଶ୍ରମିକ ସମାବେଶରେ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବାର ଘୋଷଣା କରିଥିଲେ ମଧ୍ୟ ଆଜି ଯାଏଁ ତାହା ଲାଗୁ କରା ନଯିବା ଦୁଃଖର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶୃତି ଦେଇଥିଲେ ତାହା କେବେ ପୂରଣ ହେବ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.