କେନ୍ଦୁଭଟାରେ ଆନ୍ତର୍ଜାତୀୟ ମିଲେଟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପାଳନ ଅବସରରେ ଓଡିଶା ମିଲେଟ ମିଶନ ତରଫରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ ଦେବଦତ୍ତ କ୍ଲବ ତାଲିମ ଗୃହଠାରେ ପଂଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ମିଲେଟ ସମାରୋହ ପାଳନ କରାଯାଇଛି । ଏହି ଅବସରରେ ଗାଇସିଲେଟ ବ୍ଲକର ୧୪ଟି ପଂଚାୟତରୁ ୨୪ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଏହି ସମାରୋହରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଓ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ଜିଲ୍ଲା ସଂଯୋଜକ ନାରାୟଣ ପାଣିଗ୍ରାହୀ ପିପିଟି ମାଧ୍ୟମରେ ଆନ୍ତର୍ଜାତୀୟ ମିଲେଟ ବର୍ଷର ଆବଶ୍ୟକତା, ଓଡିଶା ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କ୍ଷୁଦ୍ର ଶସ୍ୟରେ ରହିଥିବା ପୋଷାକ ତତ୍ତ୍ୱ, ରୋଗ ପ୍ରତିରୋଧକ ଶକ୍ତି, ଉପକାରିତା ଓ ସରକାରୀ ପ୍ରୋତ୍ସାହନ ବିଷୟରେ ଆଲୋଚନା କରାଯାଇଥିଲା । ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ଟ. ୩୫୭୮.୦୦ ଓ ଟିଡିସିସି ମାଧ୍ୟମରେ ମାଣ୍ଡିଆ କ୍ରୟ କରାଯାଉଥିବାର ଆଲୋକପାତ କରାଯାଇଥିଲା । ଉକ୍ତ ସମାରୋହ ମାଧ୍ୟମରେ ସରପଞ୍ଚ ଓ ପ୍ରତିନିଧିମାନଙ୍କୁ ନିଜ ନିଜ ପଂଚାୟତରେ କ୍ଷୁଦ୍ର ଶସ୍ୟ ଚାଷୀଙ୍କ ସଂଖ୍ୟା ବୃଦ୍ଧି ଓ କୌଣସି ଜମିକୁ ପଡିଆ ନ ରଖି ଉକ୍ତ ଚାଷ କରାଇବା ପାଇଁ ଅନୁରୋଧ କରାଯାଇଥିଲା । ଉକ୍ତ ସମାରୋହକୁ ଗାଇସିଲଟ ବ୍ଲକ ଦାୟିତ୍ୱରେ ଥିବା ଦେବଦତ୍ତ କ୍ଲବ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ । ବ୍ଲକ ସଂଯୋଜକ ରୁଦ୍ର ସାହୁ ଚାଷ ଉପରେ ସମସ୍ତଙ୍କୁ ଅବଗତ କରିଥିବା ବେଳେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.