ଅଚଳାବସ୍ଥାରେ ପଡ଼ିରହିଛି ‘ଆମ ଶୌଚାଳୟ’ : ବଣାଇବାସୀଙ୍କୁ ବ୍ୟବହାର ମନା, ଜନ ସାଧାରଣରେ ଅସନ୍ତୋଷ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : କିଛିଦିନ ହେବ ପାଣି ପାଗରେ ହେଲାଣି ପରିବର୍ତ୍ତନ । ସନ୍ଧ୍ୟାରେ ଲାଗି ରହୁଛି ଅଦିନିଆ ଝଡ଼ ବର୍ଷା । ବର୍ତ୍ତମାନ ବଣାଇଁରେ ପ୍ରସିଦ୍ଧ ଚୈତ୍ର ମେଳାର ଆସର । ବସ୍ କିମ୍ବା ଅଟୋ ଯୋଗେ ଦୂର ଦୂରାନ୍ତର ଅଞ୍ଚଳରୁ ବଣାଇଁକୁ ଯିବା ଆସିବା କରୁଥିବା ସାଧାରଣ ଯାତ୍ରୀମାନେ ବଣାଇଁ ପହଞ୍ଚିବା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦେଓଗାଁ ଛକଠାରୁ ନେଇ, ଚର୍ଚ୍ଚଛକ, ବ୍ଲକଛକ, କଲେଜ ଛକ, କଚେରୀ ଛକ, ମେଡିକାଲ ଛକ, ପୋଷ୍ଟ ଅଫିସ ଛକ, ରଥଛକ କନ୍ତଯୋଡି ପର୍ଯ୍ୟନ୍ତ ଥିବା ପ୍ରମୁଖ ଛକଗୁଡ଼ିକରେ ଗୋଟିଏ ହେଲେ ଯାତ୍ରୀ ପ୍ରତିକ୍ଷାଳୟ ତିଆରି ହୋଇ ପାରିଲାନାହିଁ । ଶୌଚାଳୟ କଥା ନ କହିଲେ ଭଲ । ମହିଳା ଯାତ୍ରୀଟିଏ ହେଉ କିମ୍ବା ବରିଷ୍ଠ ନାଗରିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ବଣାଇଁ ସହରକୁ ଆସୁଥିବା ବେଳେ ଶୌଚାଳୟ ଅଭାବରୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଡହଡହ ଖରାଦିନ ହେଉ କିମ୍ବା ବର୍ଷାଦିନ ହେଉ ରାସ୍ତା କଡ଼ରେ ବସ୍ କିମ୍ବା ଅଟୋକୁ ଅପେକ୍ଷା କରିବା ସମୟରେ କୌଣସି ଦୋକାନରେ ମୁଣ୍ଡଗୁଞ୍ଜି ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି । କଲେଜ ଛକରେ ଓ ଖୋଦ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜୀବଗାନ୍ଧୀ ସେବାକେନ୍ଦ୍ର ସମ୍ମୁଖରେ ଥିବା ଦୁଇଟି ଯାକ ଗୋଷ୍ଠୀ ଶୌଚାଳୟର ଅବସ୍ଥିତି ଏକା । ନିର୍ମାଣ ହେବା ଦିନଠାରୁ ଉଦ୍‌ଘାଟନ ପରେ ମଧ୍ୟ ବର୍ଷ ବର୍ଷ ଧରି ସେଥିରେ ତାଲା ଝୁଲୁଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ତାହା ତିଆରି କରାଯାଇଥିଲା ତାହା ଲୋକଙ୍କ କାମରେ ଆସିପାରିଲାନାହିଁ । କେବଳ ସରକାରୀ ଅର୍ଥ ଶ୍ରାଦ୍ଧ କରି ଠିକାଦାର ଓ ଯନ୍ତ୍ରୀ ପୋଷିବା ସାର ହେଲା ବୋଲି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି । ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବେଳେ ତାହା ବଣାଇବାସୀଙ୍କ ଉନ୍ନତି ଓ ସୁବିଧାରେ ଆସୁନାହିଁ । ବାରମ୍ବାର ବଣାଇର ବରିଷ୍ଠ ନାଗରିକଙ୍କ ଠାରୁ ନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏ ବିଷୟରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାର କୌଣସି ସୁଫଳ ବଣାଇବାସୀ ପାଇପାରିଲେ ନାହିଁ । ତେଣୁ ଆଗାମୀ ମେ’ ୮ ତାରିଖରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଏହାର ଏକ ସ୍ଥାୟୀ ସମାଧାନ କରିବା ପାଇଁ ବଣାଇର ବୁଦ୍ଧିଜୀବୀମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.