ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ମଂଚସ୍ଥ ହେଲା ବଲାଙ୍ଗିର ‘ଅନ୍ୱେଷଣ’ର ନାଟକ ‘ଅରଣ୍ୟ ଫସଲ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଜଣ ବାଲ୍ୟବାନ୍ଧବୀ ବିବାହ ପରେ ନିଜ ସ୍ୱାମୀଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦେଖା ହୋଇଛନ୍ତି ଏକ ଡାକବଙ୍ଗଳାରେ । ପରେ ସେ ସ୍ଥାନରେ ପହଂଚିଛନ୍ତି ଆଉ ଜଣେ ବାଲ୍ୟବାନ୍ଧବୀଙ୍କ ପୁରୁଷ ବନ୍ଧୁ । ପରସ୍ପର ଭେଟ ହେବା ପରେ ବିଭିନ୍ନ ପ୍ରକାର ଦ୍ୱନ୍ଦ ଆସିଛି, ତାଙ୍କର ମନ, ଭାବନା ଓ ଯୌବନର ଚେତନାକୁ ନେଇ । ଅଥଚ ସମସ୍ତଙ୍କର ମଧ୍ୟରେ ପ୍ରେମ ନିବିଡତର । ଏକ ପ୍ରେମଭରା ଆବେଗକୁ ନେଇ ଗତିଶୀଳ ନାଟକରେ ଦ୍ୱନ୍ଦରେ ଛଳନାର ସହାୟତା ନେଇ ଚରିତ୍ରମାନେ ବଢିଛନ୍ତି ଓ ଶେଷଦୃଶ୍ୟରେ ଏକ କରୁଣ ଭାବାବେଗରେ ସମାପ୍ତି ଘଟୁଛି । ଏପରି ଏକ କାହାଣୀକୁ ନେଇ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡରେ ମଂଚସ୍ଥ ହେଲା ବଲାଙ୍ଗିରର ଅଗ୍ରଣୀ ନାଟ୍ୟସଂସ୍ଥା ‘ଅନ୍ୱେଷଣ’ ଦ୍ୱାରା ନାଟକ ‘ଅରଣ୍ୟ ଫସଲ’ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଓଡିଶା ନାଟ୍ୟ ସଂଘର ନିୟମିତ ନାଟକ ପରିକ୍ରମାର ଅଂଶ ଭାବରେ ଏହି ନାଟକ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ମଂଚସ୍ଥ କରାଯାଇଛି । ନାଟ୍ୟକାର ମନୋରଂଜନ ଦାସଙ୍କ ଲିଖିତ ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଯୁବ ନାଟ୍ୟକାର ପ୍ରକାଶ ଚନ୍ଦ୍ର ଥନାପତି । ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିପିନ ବିହାରୀ ବାରିକ, ଅଶୋକ ଦୀପ, ସଂଜୀବ କୁମାର ନାଏକ, ରାଶେଶ୍ୱରୀ ଚଣ୍ଡୀ, ଇଶ୍ୱରୀ ବେହେରା ଓ ପଂଚାନନ ସେଠ । ମଂଚ ପରିକଳ୍ପନା କରିଥିଲେ ନିଶିଥ ସାହୁ, ବୁଲୁ ବହେରା ଓ ରାଧେଶ୍ୟାମ ତ୍ରିପାଠୀ । ନାଟକଟି ଖୁବ୍‌ ଦର୍ଶକୀୟ ପ୍ରଶଂସା ସାଉଟିିଥିଲା ଭୁବନେଶ୍ୱର ଦର୍ଶକଙ୍କ ଠାରୁ ।

Leave A Reply

Your email address will not be published.