ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପୁରୀ : ଆଜିଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ କାମ ଆରମ୍ଭ ହୋଇଛି । ଆଜିଠାରୁ ମହାରଣା ସେବକ ଓ ଭୋଇ ସେବକ ସେମାନଙ୍କ କାମ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରରେ ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଥିଲା । ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯଜ୍ଞ ସ୍ଥଳକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ହୋଇଥିଲା । ଏହା ପରେ ଶାସ୍ତ୍ରୀୟ ବନଜାଗ ବିଧିରେ ହୋମଯଜ୍ଞ ସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ବରଣ ପରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସହ ଅନ୍ୟ ପ୍ରମୁଖ ସେବକମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇଥିଲେ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ପବିତ୍ର କାର୍ଯ୍ୟକୁ ଦେଖିବାର ସୌଭାଗ୍ୟ ପାଇଥିଲେ । ଏଥିପାଇଁ ବଡ଼ଦାଣ୍ଡ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ।

Leave A Reply

Your email address will not be published.