ଗାୟତ୍ରୀ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ନିର୍ମାଣ କରାଯାଉଥିବା ଗାୟତ୍ରୀ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ରବିବାର ଦିନ ସ୍ଥାନୀୟ କାମାକ୍ଷାନଗର ନିକଟରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରାତଃ ୭ ଘଟିକା ସମୟରେ ବଲାଙ୍ଗିର ନିକଟସ୍ଥ ଖମାରମୁଣ୍ଡା ଗ୍ରାମ ନିକଟରେ ପବିତ୍ର ସାହାଡା ଗଛକୁ ବରଣ, ପୂଜନ କରାଯାଇଥିଲା । ତତ୍‌ପଶ୍ଚାତ ନିର୍ମାଣାଧିନ ମନ୍ଦିର ପରିସରରେ ଗାୟତ୍ରୀ ଯଜ୍ଞ, ଇନ୍ଦ୍ର ଇନ୍ଦ୍ରାଣି ପୂଜନ, ରତ୍ନମୁଦ ପୂଜା ଇତ୍ୟାଦି ବୈଦିକ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା । କର୍ତ୍ତା ଭାବେ ଟିକେଲାଲ ନାଏକ ଓ ତାଙ୍କ ସହଧର୍ମିଣୀ ନିଳିମା ନାଏକ ଦାୟିତ୍ୱ ନିର୍ବାହ କରିଥିଲେ । ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ହରିଦ୍ୱାରରୁ ପ୍ରତିନିଧି ଭାବେ ସରୋଜ କୁମାର ପ୍ରଧାନଙ୍କ ଦ୍ୱାରା ସମସ୍ତ ବୈଦିକ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟବୋର୍ଡର ସମସ୍ତ କର୍ମକର୍ତ୍ତା, ଶ୍ରଦ୍ଧାଳୁ ଜନସାଧାରଣ ଉପସ୍ଥିତ ରହି ଉତ୍ସାହ ବର୍ଦ୍ଧନ କରିଥିଲେ । ଶେଷରେ ପ୍ରସାଦ ସେବନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.