ପଦ୍ମପୁର ଶୀତଳ ଷଷ୍ଠୀର ଥାଳ ଉଠିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଦ୍ୱିତୀୟ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଦିନ ଥାଳ ଉଠା କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହକାରେ ସମ୍ପୂର୍ଣ୍ଣ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ବଡପଡା ବଡବନ୍ଧ ସ୍ଥିତ ରାମେଶ୍ଵରବାବାଙ୍କ ପିତା ମାତା ରୂପେ ପଦ୍ମପୁର ହନୁମାନପଡାର ଶ୍ରୀମତୀ ଚିନ୍ମୟୀ ଦାଶ ଓ ଜିତେନ୍ଦ୍ର କୁମାର ଦାଶ ସୌଭାଗ୍ୟ ଲାଭ କରିଥିବା ବେଳେ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ପିତା ମାତା ଭାବେ ପଦ୍ମପୁର ବଡପଡା ନିବାସୀ ଶ୍ରୀମତୀ ବର୍ଷା ବଂଶଲ ଓ ଆଶିଷ କୁମାର ବଂଶଲଙ୍କୁ ସୌଭାଗ୍ୟ ଲାଭ ହୋଇଛି । ଥାଳ ଉଠା ପର୍ବ ପାଳନ ଅବସରରେ ପଦ୍ମପୁର ହନୁମାନପଡା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଉଭୟ ବର ଓ କନ୍ୟା ପିତା ମାତା ବାହାରି ଶିବ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ । ମନ୍ଦିରରେ ଶୀତଳ ଷଷ୍ଠୀର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା । ଶୋଭାଯାତ୍ରାରେ ଭାଗ ନେଇଥିବା ସମସ୍ତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଆସନ୍ତା ମେ’ ମାସରେ ବିରାଟ ଭାବେ ଶୀତଳ ଷଷ୍ଠୀ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା । ଏଥିରେ ଆସନ୍ତା ମେ’ ୨୧, ୨୨, ୨୩ ତାରିଖ ତିନିଦିନ ଧରି ତାରକାସୁର ଦରବାର ହେବ, ୨୪ ତାରିଖ ଜଗତପିତା ମହାଦେବଙ୍କ ବରାତି ଶୋଭାଯାତ୍ରା ଓ ୨୫ ତାରିଖ କନ୍ୟା ବିଦାୟ ନଗର ପରିକ୍ରମା ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଶୀତଳ ଷଷ୍ଠୀ ମହୋତ୍ସବ କମିଟି ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.