jayashree

ଅଖିମୁଠି ଅନୁକୂଳ ସହ ବଲାଙ୍ଗିର ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲର୍କିପାଲି ସ୍ଥିତ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ କୃଷି ଫାର୍ମଠାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ତଥା ଅଖିମୁଠି ଅନୁକୂଳ ପର୍ବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ପୌରୋହିତ୍ୟ କରି ଭୂମିପୂଜନ ଓ ପାରମ୍ପାରିକ ପୂଜାର୍ଚନା ପରେ କ୍ଷେତରେ ଅଖିମୁଠି ଅନୁକୂଳ କରିଥିଲେ । ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଉପସ୍ଥିତ ଚାଷୀମାନଙ୍କୁ କୃଷକ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଚାଷୀମାନେ ଯେପରି ଆହୁରି ଜାଗ୍ରତ ଓ ଉଦ୍ୟମୀ ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । କୃଷି ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଉଦ୍ୟୋଗୀ ଚାଷୀମାନେ ସୁଯୋଗ ନେବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବାକୁ ସେ ପରାମର୍ଶ ଦେଇଥିଲେ । କୃଷି ତଥା ଆନୁସାଙ୍ଗିକ କୃଷି କ୍ଷେତ୍ରରେ ଆଗୁଆ ଚାଷୀର ସ୍ଵତନ୍ତ୍ରତା ପାଇଁ କୃଷି ବିଭାଗ, ବଲାଙ୍ଗିର ଦ୍ୱାରା ଚାରି ଜଣ ଅଗ୍ରଣୀ ଚାଷୀ, କୃଷି କ୍ଷେତ୍ରରେ ଶ୍ରୀମତୀ ମିତା ରାଉତ, ଲର୍କିପାଲି, ବଲାଙ୍ଗିର, ଉଦ୍ୟାନ କୃଷି କ୍ଷେତ୍ରରେ, ହରିବନ୍ଧୁ ରାଉତ, କାଲିଝରନ, ଗ୍ରାମ ପଞ୍ଚାୟତ ବଇଦୀପାଲି, ବଲାଙ୍ଗିର, ମାଛ ଚାଷ ନିମନ୍ତେ ସୁରେଶ ପାଲ ପଧାନ, ସରଗାଡ, ଗ୍ରାମ ପଞ୍ଚାୟତ ବଡଙ୍ଗୋମୁଣ୍ଡ।, ବ୍ଲକ ଗୁଡଭେଲା, ପ୍ରାଣୀ ସମ୍ପଦରେ ପ୍ରସନ୍ନ କୁମାର ପଟେଲ ବାରପୁଡୁଗିଆ, ବଲାଙ୍ଗିରଙ୍କୁ ସଚେତନତା ସଭାରେ ସମ୍ମାନିତ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହା ସହ ଆଠ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ସଚେତନତା ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସୁବାସ ଚନ୍ଦ୍ର ବେହେରା, ଅକ୍ଷୟ ତୃତୀୟାର ମାହାତ୍ମ୍ୟ, ବିହନ ଓ ସାରର ସଦୁପଯୋଗ ତଥା ସଠିକ୍‌ ଭାବରେ ଚାଷୀଙ୍କୁ ଡ଼ିବିଟି ମାଧ୍ୟମରେ ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ଭଞ୍ଜ, ଜଳଛାୟା ଅତିରିକ୍ତ ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ସତ୍ୟମୟ ଶତପଥୀ, ନିର୍ବାହୀ ଯନ୍ତୀ କୃଷି ବିଭାଗ ଇଂ ଲାସା ମୁର୍ମୁ, ଉପନିବନ୍ଧକ ସମବାୟ, ଦମୟନ୍ତୀ ସିଂ, ଡିଡିଏମ ନାବାର୍ଡ ଭିବେକ କୁମାର ନାଏକ ପ୍ରମୁଖ ଉପସ୍ଥିତ ଚାଷୀମାନଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ତଥା ଚାଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ଚାଷୀ ଯୋଗଦେଇଥିଲେ । ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ, ସୁନନ୍ଦା ସାହୁ, ସହକାରୀ କୃଷି ଅଧିକାରୀ ସୁଜାତା ଚ୍ଛତ୍ରିଆ, କୃଷି ଅଧିକାରୀ ସବିତା ପାଣିଗ୍ରାହୀ, ସୁଜାତା ପାତ୍ର ପ୍ରମୁଖ ବିଭାଗୀୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷା ଯାନ ପରିଦର୍ଶନ କରିବା ସହ ମୃତ୍ତିକା ପରୀକ୍ଷା ସମ୍ପର୍କରେ ମୃତ୍ତିକା ରସାୟନବିତ୍‌ଙ୍କୁ ମୃତ୍ତିକା ପରୀକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ ଓ ଏ ସମ୍ପର୍କରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.