ଟାଙ୍ଗଣାପଲ୍ଲୀ ହାଇସ୍କୁଲର ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ-ଅଭିଭାବକ ସଂଘ ଓ ପରିଚାଳନା କମିଟିର ମିଳିତ ବୈଠକ ଆୟୋଜନ କରିବା ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାପୀଠର ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସୁଥିବା ଶିକ୍ଷାର୍ଥୀମାନଙ୍କ ଅଭିଭାବକ ବୃନ୍ଦ ଏହି ବୈଠକରେ ଯୋଗଦେଇ ରାଜ୍ୟ ସରକାରଙ୍କ ସଦ୍ୟ କାର୍ଯ୍ୟକାରୀ ହେଉଥିବା ୫ଟି ରୂପାନ୍ତରୀଣ କାର୍ଯ୍ୟକ୍ରମ ଉପରେ ଶିକ୍ଷକମାନଙ୍କ ଠାରୁ ଅବଗତ ହୋଇଥିଲେ । ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଢୀ, ଉଷା ରାଣୀ ମିଶ୍ର, ଯମୁନା ରେଡ୍ଡି, ଜୟଶ୍ରୀ ଦୋରା, ଯୁଧିଷ୍ଠିର ବେହେରା, ଭାଗିରଥି ମିଶ୍ର, ସୁଧାକର ବଳୀ ପ୍ରମୁଖ ସରକାରଙ୍କ ଠାରୁ ଆସିଥିବା ଶିକ୍ଷଣୀୟ ପାଠ୍ୟକ୍ରମ ଉପରେ ଉପସ୍ଥିତ ଅଭିଭାବକ ଓ ପରିଚାଳନା କମିଟିର ସଭ୍ୟ ବୃନ୍ଦଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ପୂର୍ବତନ ରାଜ୍ୟସ୍ତରୀୟ ପୁରସ୍କୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଏହି ବୈଠକରେ ଯୋଗଦେଇ ବିଦ୍ୟାଳୟର ଭୌତିକ ପରିବର୍ତ୍ତନ ସହ ବୌଦ୍ଧିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ ବିଦ୍ୟାଳୟର ପ୍ରଗତିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ଯୋଗଦେଇ ବିଦ୍ୟାଳୟର ବିକାଶରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟିର ସଭ୍ୟମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସିଆର୍‌ସିସି ଉଷାରାଣୀ ପାତ୍ର ଅବିଭାବକଙ୍କ ମଧ୍ୟରୁ ବାଉରୀବନ୍ଧୁ ସାହୁ, ସବିତା ଶତପଥୀ, ମମତା ରାଉଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏସ୍‌ଏମ୍‌ସିର ସଭାପତି ସୁରେନ୍ଦ୍ର ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.