oom

ଆଜିର ଛାତ୍ରଛାତ୍ରୀ ଭାରତୀୟ ମହାନ୍ ସଂସ୍କୃତିରେ ଉଦ୍‌ବୁଦ୍ଧ ହେବା ବାଞ୍ଛନୀୟ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ବର୍ଷର ଦର୍ଶନ, ସଂସ୍କୃତି, ଐତିହ୍ୟ ପୃଥିବୀରେ ଅନନ୍ୟ । ଆଜିର ଛାତ୍ରଛାତ୍ରୀମାନେ ଆମ ସଂସ୍କୃତି ଓ ମୂଲ୍ୟବୋଧ ଆଧାରରେ ନୈତିକ ଏବଂ ଶୃଙ୍ଖଳିତ ଜୀବନ ଗଢିତୋଳିବାରେ ଅଭିଭାବକ ଓ ଗୁରୁଜନମାନେ ଚେଷ୍ଟା ଜାରି ରଖିଲେ ସର୍ବଦା ଆମ ସମାଜରେ ଶାନ୍ତ ବାତାବରଣ ବଜାୟ ରହିପାରିବ ବୋଲି ଶ୍ରୀପୁରୁଷୋତ୍ତମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୩ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତିବିତ୍ ପୂର୍ବତନ ସହ ଶିକ୍ଷା ନିର୍ଦ୍ଦେଶକ ପୁରୀ ଗୋବର୍ଦ୍ଧନ ପୀଠର ଅଧ୍ୟକ୍ଷ ପ୍ରଫୁଲ୍ଲ ରଥ ଓ ରାଜ୍ୟ କୃଷି ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ପ୍ରାଧ୍ୟାପକ ବୁଦ୍ଧଦେବ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଆୟୋଜିତ ସଭାରେ ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଓ ବକ୍ତା ଭାବେ ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ଆଧ୍ୟାତ୍ମିକ ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ଡେଲାଙ୍ଗ ୟୁଜିୟୁପି ସ୍କୁଲର ସାହିତ୍ୟ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଯୋଗଦେଇ ନୈତିକତା ଓ ଆଧ୍ୟାତ୍ମିକ ମାର୍ଗରେ ଜୀବନ ଗଢିତୋଳିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ମଞ୍ଚ ସଂଯୋଜନା କରିଥିଲେ ଆଇନଜୀବୀ ସମାଜସେବୀ ଅସିତ୍ କୁମାର ମିଶ୍ର । ମଞ୍ଚ ପରିଚାଳନା ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଶିକ୍ଷା ଓ ସଂସ୍କାରପ୍ରେମୀ ପ୍ରତିଭା ଜନ୍ମେଜୟ ମହାପାତ୍ର । ସରସ୍ୱତୀଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅତିଥିମାନେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପାରମ୍ପରିକ ରୀତିରେ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରାଧାନାଥ ମିଶ୍ର ଓ ତାଙ୍କ ସହଧର୍ମିଣୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଭାରତ ଶିକ୍ଷା ବିକାଶ ପରିଷଦ ଦ୍ୱାରା ପରିଚାଳିତ ମେଧାବୃତ୍ତି ପରୀକ୍ଷାର କୃତି ଛାତ୍ରଛାତ୍ରୀ ପରାଗ ମହାନ୍ତି, ସୁକନ୍ୟା ସୁକୁମାରୀ ସାହୁ, ପ୍ରତ୍ୟାଶା ମିଶ୍ରଙ୍କ ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ସ୍ମୃତି ସମ୍ପନ୍ନା ରାଉତ୍‌ଙ୍କୁ ମିଶାଇ ମୋଟ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ୫ମ ଶ୍ରେଣୀର ଗରିବ ମେଧାବୀ ଛାତ୍ରୀ ସୋନାଲି ଭୋଇଙ୍କୁ ମଞ୍ଚ ଉପରେ ଶ୍ରୀପୁରୁଷୋତ୍ତମପୁର ଗାଁର ପ୍ରତିଷ୍ଠିତ ବଦାନ୍ୟ ବ୍ୟକ୍ତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ତରଫରୁ ୫୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଗୁରୁମା ଲକ୍ଷ୍ମୀପ୍ରିୟା ରାଉତ୍, ରଶ୍ମିତା ମ‌ହାପାତ୍ର, ରୂପାଲି ବେହେରା, ଲିଜା ସାହୁ, ସୁଚିତ୍ରା ପ୍ରଧାନ ଓ ଅନ୍ୟମାନଙ୍କ ମିଳିତ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା । ଉତ୍ସବରେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ଶରତଚନ୍ଦ୍ର ମହାପାତ୍ରଙ୍କ ସହ ଗୋବିନ୍ଦ ଚନ୍ଦ୍ର ସାହୁ, ବିଚିତ୍ରାନନ୍ଦ ରାଉତ୍, ଚିନ୍ମୟ ମହାନ୍ତି, ସସ୍ମିତା ମହାନ୍ତି, ସେନେହଲତା ସାହୁ ଓ ଶିକ୍ଷାନୁରାଗୀମାନେ ଯୋଗ ଦେଇ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପିଲାମାନେ ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ସ୍ଥାନ ପାଇଥିବାରୁ ସଭାପତି ବୁଦ୍ଧଦେବ ମିଶ୍ର ଓ ସମ୍ପାଦକ ଅସିତ୍ କୁମାର ମିଶ୍ର, ଗୁରୁମାମାନଙ୍କ ଉଦ୍ୟମ ଓ ଅଭିଭାବକମାନଙ୍କ ସହଯୋଗକୁ ସଭାରେ ଭୂୟସୀ ପ୍ରଶଂସା କରାଯାଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୃଦୟସ୍ପର୍ଶୀ ସାଂସ୍କୃତିକ ନୃତ୍ୟଗୀତ ସମସ୍ତଙ୍କୁ ସଭାରେ ବହୁ ସମୟ ଧରି ବାନ୍ଧି ରଖିଥିଲା । ଜନ୍ମେଜୟ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.