centurian jitm

ବିପଦରେ ବାରପାହାଡ ରିଜର୍ଭ ଜଙ୍ଗଲ

nschool
  • ସପ୍ତାହେ ହେଲା ନିଆଁରେ ଶହ ଶହ ହେକ୍ଟର ଜଙ୍ଗଲ ପୋଡିଲା, ଜଙ୍ଗଲ ବିଭାଗ ଚେଇଁ ଶୋଇଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୀମାନ୍ତରୁ ସୋନପୁର ଜିଲ୍ଲାର ତରଭା ବ୍ଲକ ଓ ସୋନପୁର ବ୍ଲକ ଅଞ୍ଚଳକୁ ଲମ୍ବିଥିବା ୧୦୨ ବର୍ଗ କିଲୋମିଟର ଜଙ୍ଗଲ ବିପଦରେ ରହିଛି । ଗତ ସପ୍ତାହେ ହେଲା ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ସେପଟେ ସରକାରଙ୍କ କଡା ନିର୍ଦ୍ଦେଶ ସତ୍ୱେ ବନ ବିଭାଗ ଜଙ୍ଗଲର ନିଆଁକୁ ଲିଭାଇବାରେ ବିଫଳ ହୋଇଛି । ଦିନ ଦିନ ଧରି ଜଙ୍ଗଲ ଜଳୁଛି କିନ୍ତୁ ଜଙ୍ଗଲ ବିଭାଗର ନିଆଁ ଲିଭାଳି ଟିମ୍‌ କିମ୍ବା ବନ ବିଭାଗର କର୍ମଚାରୀଙ୍କ ଦେଖା ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ବାରପାହଡ ଜଙ୍ଗଲର ରାଣୀସର୍ଡା ଛକ ପାଖ ଜଙ୍ଗଲରେ ତଳୁ ଉପର ପର୍ଯ୍ୟନ୍ତ ନିଆଁ ଲାଗିଥିବା ଓ ଏହା ଗତ ଦୁଇ ଦିନ ହେଲା ଜଳୁଥିଲେ ହେଁ କୌଣସି ବନ କର୍ମଚାରୀ ପହଞ୍ଚିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଚଳିତ କେନ୍ଦୁପତ୍ର ସିଜନରେ କିଛି କେନ୍ଦୁପତ୍ର ବିଭାଗର ତଳିଆ କର୍ମଚାରୀ ଗୋଚ୍ଛାକଟାରେ ହେର୍‌ଫେର୍‌ କରି ଜଙ୍ଗଲର ତଳି ଅଞ୍ଚଳରେ ନିଆଁ ଲଗାଉଥିବା ଓ ଏହା ଜଙ୍ଗଲକୁ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକ୍‌ ସେହିପରି ଯେଉଁ ଅଞ୍ଚଳରେ ବନ ବିଭାଗ ବୃକ୍ଷ ରୋପଣ କରିଥିଲା ସେଠାରେ କମ୍‌ ପରିମାଣର ଚାରା ଲଗାଇ ବହୁତ ପରିମାଣରେ ଦୁର୍ନୀତି କରାଯାଇଥିବାରୁ ତାକୁ ଲୁଚାଇବାକୁ ତୃତୀୟ ବର୍ଷ ବେଳକୁ ନିଜେ ନିଆଁ ଲଗାଇଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସୋନପୁର ରେଞ୍ଜ ଅନ୍ତର୍ଗତ ନାରାୟଣପୁର ସେକ୍ସନରେ ଥିବା ଫରେଷ୍ଟର ତିଲେଇମାଲ ଅଫିସରେ ନରହି କେବଳ ରେଞ୍ଜରଙ୍କ ସହିତ ମିଶି ବନୀକରଣ ଅର୍ଥ ହିସାବ କରିବାକୁ ସୋନପୁରରେ ଡେରା ପକାଇଛନ୍ତି ବୋଲି ଅଭିଯୋଗ ହୋଇଛି । ନାରାୟଣପୁର ସେକ୍ସନରେ ଜଣେ ଫରେଷ୍ଟର ସମେତ ମାତ୍ର ୨ ଜଣ ଫରେଷ୍ଟଗାର୍ଡ ରହିଛନ୍ତି । ସେମାନେ ସମସ୍ତେ ଜଙ୍ଗଲ ଜଗିବା ବଦଳରେ ଜଙ୍ଗଲ ବିଭାଗ ତରଫରୁ ଚାଲିଥିବା ବନୀକରଣ ଓ ଅନ୍ୟାନ୍ୟ ଉନ୍ନୟନ କାମରେ ଅର୍ଥ ହେର୍‌ଫେର୍‌ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି । ଏବେ ସୋନପୁର ରେଞ୍ଜର ଥିବା ମନୋରଂଜନ ବାଘଙ୍କ ପଦୋନ୍ନତି ହୋଇଛି ସେଥିପାଇଁ ସେ ତାଙ୍କର ହିସାବକିତାବରେ ବ୍ୟସ୍ତ ରହୁଥିବାରୁ ଜଙ୍ଗଲ ନିଆଁକୁ ସବୁଠୁ ବିଡମ୍ବନାର ବିଷୟ ହେଲା ସେଟଲାଇଟରୁ ଜଙ୍ଗଲର କେଉଁ ପଏଣ୍ଟରେ ନିଆଁ ଲାଗିଛି ତାହା ତୁରନ୍ତ ବିଭାଗକୁ ସୂଚନା ଆସିଥାଏ । ଏହି ତଥ୍ୟକୁ ଆଧାର କରି ଜଙ୍ଗଲ ବିଭାଗରେ ନିୟୋଜିତ କର୍ମଚାରୀ ଓ ନିଆଁ ଲିଭାଳି ଟିମ୍‌ ପହଞ୍ଚି ନିଆଁକୁ ଲିଭାଇଥାନ୍ତି । କିନ୍ତୁ ଦିନ ଦିନ ଧରି ଜଙ୍ଗଲ ଜଳୁଥିଲେ ହେଁ ନିଆଁ ଲିଭାଇବାକୁ ଆସୁନଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଉଛି । ବଲାଙ୍ଗିର ଜିଲ୍ଲା ସୀମାନ୍ତ ରାଣୀସର୍ଡା ଠାରୁ ଆରମ୍ଭ କରି ଅର୍ଡା, ଖଗସାକନା, ରାଜପାଲି, ଅରଖଖୋଲ, ଜଡାଖୋଲ, ବାରପାହାଡଖୋଲ, ଡାହିମାଳର କଟଙ୍ଗଖୋଲ ଓ ତିଲେଇମାଲ ଜଙ୍ଗଲରେ ନିଆଁ ଲାଗି ବ୍ୟାପି ଜଙ୍ଗଲ ନଷ୍ଟ ହୋଇସାରିଛି । ଏବେ ନିଆଁ ନ ଲିଭାଉଥିବାରୁ ଅନ୍ୟ ଅଞ୍ଚଳରେ ମଧ୍ୟ ଜଙ୍ଗଲ ଜଳୁଛି । ଏହି ଅଭିଯୋଗ ନେଇ ସୋନପୁର ଏସିଏଫ ପି.କେ. ଧରୁଆଙ୍କୁ ପଚାରିବାରୁ ଯେଉଁ ଯେଉଁ ପଏଣ୍ଟରେ ନିଆଁ ଲାଗୁଛି ତାହାର ସୂଚନା ଆସିଲେ ଆମେ ଟିମ୍‌ ପଠାଇ ନିଆଁ ଲିଭାଉଛୁ । ରାଣୀସର୍ଡା ଜଙ୍ଗଲର ନିଆଁର ସୂଚନା ଆସିଛି କି ନାହିଁ ମୁଁ ଦେଖୁଛି ବୋଲି କହିଛନ୍ତି ।

Leave A Reply

Your email address will not be published.