ବୈଶାଖୀ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଶାଖ ମାସରେ ପ୍ରତ୍ୟେକ ଓଡ଼ିଆ ତାଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ଜଣାଇ ବୃକ୍ଷ ରୋପଣ କରିବା ଉଚିତ । ନିଜେ ମହାପ୍ରଭୁ ଦାରୁରେ ଜୀବନ୍ୟାସ ପାଇ ଥିବାରୁ ତାଙ୍କର ଅନ୍ୟତମ ନାମ ଦାରୁବ୍ରହ୍ମ । ଜଗତର କଲ୍ୟାଣ ପାଇଁ ଏବଂ ପରିବେଶ ସନ୍ତୁଳନ ଗୁରୁତ୍ୱ ଦୃଷ୍ଟିରୁ ଆମେ ସମସ୍ତେ ସଚେତନ ହେବା ଉଚିତ । ଏହା ଥିଲା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ପ୍ରଫେସର ଡ. ହରିହର କାନୁନଗୋଙ୍କ ବକ୍ତବ୍ୟ । ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ କହିଲେ ଯେ, ବର୍ତ୍ତମାନର ସାହିତ୍ୟ ଆଉ ହିତ ସାଧନ କରୁନି କେବଳ କିଛି ସାହିତ୍ୟିକ ନାମକୁ ମାତ୍ର ଅନୁଷ୍ଠାନ ଗଢି ନିଜର ପ୍ରଚାର ପ୍ରସାରରେ ବ୍ୟସ୍ତ । ଏହି ଅବସରରେ ସଂସଦର ପ୍ରତିଷ୍ଠାତା ବେଣୁଧର ଦାସଙ୍କ ସ୍ମୃତି ରକ୍ଷା ପାଇଁ ‘ବେଣୁଧର ଦାସ ସ୍ମୃତି ସମ୍ମାନ’ରେ ପ୍ରତିବର୍ଷ ଜଣକୁ ସମ୍ମାନ କରାଯିବ । ଏହିକ୍ରମରେ ଅଜା କବି ବଳରାମ ଦାସଙ୍କୁ ପ୍ରଥମ ‘ବେଣୁଧର ଦାସ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ବୈଶାଖୀ ଭାରତୀ ସମ୍ମାନରେ ପ୍ରଫେସର ଡ. ହରିହର କାନୁନଗୋଙ୍କୁ ସମ୍ମାନିତ କରାଥିଲା । ବିଦ୍ୟା ତିୱାରୀ ସ୍ମୃତି ସମ୍ମାନରେ କବି ମଞ୍ଜୁଳା କୁମାରୀ ରଥଙ୍କୁ ସମ୍ମାନିତ କରାଯାଇଥିଲା । ଡ. ବୁଦ୍ଧେଶ୍ୱର ଷଡ଼ଙ୍ଗୀ ସଭାପତିତ୍ୱ ଅଭିଭାଷଣ ଦେଇଥିବା ବେଳେ ସଂସଦର ସମ୍ପାଦକ ଚନ୍ଦ୍ରଧ୍ୱଜ ମାଝୀ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ଼. କିଶୋରୀ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରଶ୍ମିବାଳା ରାଉତରାୟ ସଭାପତିତ୍ୱରେ କବି ସୁଶାନ୍ତ କୁମାର ନାୟକ ଓ ନିରୁପାୟ ପତିଙ୍କ ସଂଯୋଜନାରେ ସହରର ପ୍ରାୟ ୩୦ ଜଣ ଜଣାଶୁଣା କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ କୁମାର ଦାସ, ଦେବବ୍ରତ ଦାସ, ସସ୍ମିତା ପ୍ରଧାନ, କନକ ମିଶ୍ର, ଗୀତା ରାଣୀ ବେହେରା, ରିନାରାଣୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.